କାହିଁ ସେ ଭାବନାକ୍ଷର ?
କାହିଁ ସେ ଭାବନାକ୍ଷର ?
କବିତା - କାହିଁ ସେ ଭାବନାକ୍ଷର?
ରଚନା - ପଞ୍ଚାନନ ଜେନା
ତାରିଖ -୨୮-୦୨-୨୦୨୬
++++++++++++++++
କଥା ଦେଇଥିଲ ଫେରିବାକୁ
ଶେଷ ବସନ୍ତର ଅସ୍ତରାଗରେ
ରାଣ ପକେଇ ଯାଇଥିଲ ପ୍ରବାସ
ଆସିବ ଫେରି ପତ୍ରଝଡ଼ାର ଆରମ୍ଭରେ
କାହିଁ ସେ ପ୍ରେମ ପ୍ରତିଜ୍ଞାର ସ୍ଵାକ୍ଷର ?
ଫାଲଗୁନ ମାସର ଫଗୁରେ
ରଙ୍ଗ ରୋଷଣୀ ସବୁ ସରିବା ଉପରେ
ତୁମେ କାହିଁ ନା ତୁମ ମିଠା ଭାବନାକ୍ଷର
କାହିଁ ସେ ପ୍ରୀତି ପାରାବାର ଗହ୍ୱର ?
ଚୈତ୍ରର ଚୋରା ଚଇତାଳି
ରାଗି ଯାଇଛି ବୋଧେ ମାରି କରତାଳି
ତୁମ ଆଲିଙ୍ଗନ କାହିଁ ନା ତୁମ ମଧୁପସ୍ଵର
କାହିଁ ସେ ସ୍ନେହଶ୍ରଦ୍ଧା ଶୃଙ୍ଗାର
ରୁଦ୍ର ବୈଶାଖର ତପ୍ତ ଉତ୍ତାପରେ
କ୍ରୋଧୀ ଜ୍ୟେଷ୍ଠର କାଳ ବୈଶାଖିରେ
ବାଷ୍ପୀୟ ହୋଇ ପଳେଇଛି ସୀମା ସୀମାନ୍ତ ପାର
କାହିଁ ତୁମ ବାହୁ ବେହରଣ ନା ସର୍ବରୀ ଆସର?
କାହିଁ ସେ ଦେହ ଆଉଁସା ପ୍ରେମଝର ?
ଆଷାଢ଼ର ମେଘନାଦ ମୂର୍ଚ୍ଛନା
ଶ୍ରାବଣର ବର୍ଷଣ ମୁଖର ସମ୍ଭାବନା
ସବୁ ପ୍ରତୀକ୍ଷାର ଅନ୍ତ ଘଟେଇ ରାଗରେ ଗରଗର
ଗର୍ଜନ୍ତି ଅଚାନକ ଧମକେଇ ବନ୍ୟା ପ୍ଲାବନ ଥରକୁ ଥର
କାହିଁ ତୁମ ଚୁମ୍ବକୀୟ ଚୁମ୍ବନ କାହିଁ ପ୍ରେମାପ୍କୁତ ସିତ୍କାର ?
କାହିଁ ସେ କୁହୁକ ସଧ୍ୟାର ଗୋପନଗାର ?
ଭାଦ୍ରବର ଭୋଦୁଅ ଖରା ନିର୍ଝରା
ଆଶ୍ଵିନର ଶୁଭ୍ର କାଶତଣ୍ଡୀ ଶ୍ଵେତାମ୍ବରା
କାର୍ତ୍ତିକର ଥଣ୍ଡା ପବନ ଦିଗ ଉତ୍ତରା
ସବୁ ବିମୁଖ ହୋଇ ମୁଁହମୋଡ଼ି କରନ୍ତି ନଖରା
କାହିଁ ତୁମ ଉଷ୍ମ ଆକର୍ଷଣ ନା ସ୍ପର୍ଶ କାତର ପସରା ?
କାହିଁ ସେ ଜହ୍ନ ରାତିର ଗଭା ଗଜରା
ମାର୍ଗଶିର ମାସର ଲକ୍ଷ୍ମୀପାଦ ଡେଇଁ
ପୌଷର ଲମ୍ବା ଶୀତ ରାତିର ଶୀତଳ ଯୁଦ୍ଧ ଛୁଇଁ
ମାଘରେ ବାଘ ଶିତରେ କମ୍ବଳ ଭିତରେ ଚେଇଁ
କାହିଁ ତୁମ ଗରମ ନିଃଶ୍ୱାସ ନା ଛାତିତଳ ବିଶ୍ୱାସ ପଞ୍ଜରା ?
