ଅନବରତ ଉଦ୍ଗୀରଣ
ଅନବରତ ଉଦ୍ଗୀରଣ
କବିତା - ଅନବରତ ଉଦ୍ଗୀରଣ
ରଚନା - ପଞ୍ଚାନନ ଜେନା
ତାରିଖ -୨୭-୦୨-୨୦୨୬
++++++++++++++++
ମୁଁ ମୋ ନିମ୍ଳିତ ଭାବନାରେ
ତୁମ ଭାବନାର ଗଭୀରତାକୁ
ଯେତେଥର ମାପିଛି
ସବୁଥର ବୁଡି ମରିଛି ।
ତୁମେ ବୁଡିଛ କି ନାହିଁ
ଜାଣିବା ପାଇଁ
ପୁଣି ଭାବିଛି
ଆଉ ଶେଷରେ ଉତ୍ତରଶୂନ୍ୟ ହୋଇ
ଶୋଇ ଯାଇଛି ।
ମୁଁ ମୋ ବିଭୋର ସ୍ୱପ୍ନରେ
ତୁମ ସ୍ବପ୍ନ ମହଲର ପ୍ରବେଶ ଦ୍ଵାରରେ
ଯେତେଥର ପହଞ୍ଚିଛି
ସବୁଥର ଫେରି ଆସିଛି
ଅମୁହାଁ କବାଟ ଆଗରେ
ଚିତ୍କାର କରିଛି
ଖୋଲିଯା ସିମ୍ ସିମ୍ କହି ଥକି ଯାଇଛି
ହାରି କି ଫେରି ଆସିଛି
ଲୁହ ଥମ୍ ଥମ୍ ଜିଜ୍ଞାସା ନେଇ
ତୁମେ ଏ ସବୁ ସ୍ବପ୍ନକ୍ଳିଷ୍ଟ ଅଧ୍ୟାୟ
ଜାଣି ପାରିଛ କି ନାହିଁ
ଜାଣିବା ପାଇଁ
ପୁଣି ଭାବିଛି
ପୁଣି ଚିନ୍ତା କରିଛି
ଆଉ ଶେଷରେ ଝାଳନାଳ ହୋଇ
ନିଦ ଭଙ୍ଗେଇଛି
ସବୁରି ମୂଳରେ ବିଫଳତା ଶୁଙ୍ଘିଛି
କହିବି ବା ଆଉ କିସ
ଭାବନା ପରା ଚେତନା ମଞ୍ଚରେ କ୍ଳେଶ
ଭାବନା ପରା ମୁଠାଏ ପାଉଁଶର ଭଗ୍ନାଶ
ତୁମେ ଭାବ କି ନ ଭାବ
ମୋ ଭାବନା କଲ୍ଲୋଳରେ
ସନ୍ଦେହ ମୋଚନ ହେବ କି ନାହିଁ
ସେ କଥା ଛାଡ଼
ସତ୍ୟାସତ୍ୟର ଗୋଳକଧନ୍ଦା
ନଛୋଡ଼ବନ୍ଧା
ନ୍ୟାୟ ମିଳିବ କି ନାହିଁ
ସେ ତର୍କ ଫାଡ଼
ମୋ ଭାବନା ହେବ ଅନବରତ ଉଦ୍ଗୀରଣ
ଅସରନ୍ତି ଚେତନାର ମାର୍ଜିତ ସମୀକରଣ
ମନ ମୂଳକରେ କରେଇବ ଅବଶ୍ୟ
ବ୍ୟାକୁଳିତ ବେଦନାଦାୟକ
ଚଟୁଳିତ ଚିନ୍ତା ପରିଚାୟକ
ଠିକ୍ ନ ହୋଇ ପାରୁଥିବା ବ୍ୟାଧିର ରୂପ ଧାରଣ
