ଫେରନ୍ତା କି ପିଲାବେଳ
ଫେରନ୍ତା କି ପିଲାବେଳ
କଥାଟା ଛିଣ୍ଡାରେ ଆଖଡା ପିଣ୍ଡାରେ
ମିଶି ଖରାବେଳେ ସାଙ୍ଗସାଥୀ ମେଳେ
କେତେ ଯେ କରୁଛ ହାଲ୍ଲା ,
ଉଛୁଳୁଛି ଦାଣ୍ଡ ଘଟିଛି କି କାଣ୍ଡ
ଏତେ ପାଟିତୁଣ୍ଡ ଶୁଣି ହେବେ ରୁଣ୍ଡ
ଆସି ଏବେ ଗାଆଁବାଲା ।
ଧୋବାଘର ପିଲା ପାଟି କରୁଥିଲା
ଭିଡ଼ ପଛେ ଥାଇ କହୁଥିଲା ଭାଇ
ଓଳିଆରୁ ଆମେ ଗଜା ,
ମୋ ଆଡ଼େ ଅନାଇ ଖନାଇ ଖନାଇ
କହିଲା ବାଇନ ତୁମେ ତ ଯାଇନ
କେମିତି ଜାଣିବ ମଜା ।
ଚକା ମାଡି ବସି ଖିଲିଖିଲି ହସି
ତ୍ରିପଣ୍ଡ ଗନ୍ଧିଆ ମଳିକ ପଦିଆ
ମାରେ ଘନଘନ ତାଳି ,
ପଚାରିଲା ସିଏ ସତ କହ କିଏ
ନୂଆସାହି ଆଡେ ଥିବା ଆଖୁବାଡେ
ପଶିଥିଲା ଯାଇ କାଲି ?
ଶୁଣି କହେ ବାଙ୍କ ଗୋସେଇଁ ବାବାଙ୍କ
ଆଖୁ କିଆରୀରେ ବିନା ତିଆରିରେ
ଯାଇଥିଲି ସିନା ପଶି ,
କହନା ସେକଥା ତୁଚ୍ଛାରେ ଅଯଥା
ଯେତେ ହଇରାଣ ହେଲି ମାଆରାଣ
ଅଳପକେ ଗଲି ଖସି ।
ବାଡ଼ ଜଗୁଆଳି ଦେଇ ନାନା ଗାଳି
ଭାଲୁ ଭାବି ବାଣ ଫୁଟାଇଲା ପ୍ରାଣ
ସେଇଠି ଯାଆନ୍ତା ଛାଡି ,
ଇଲୋ ବୋପା ବୋଲି ଅଧାକଛା ଖୋଲି
ମାରିଦେଲି ଡିଆଁ ଲାଗିଲା ଛାନିଆ
ପଳେଇଲି ଗୁହ ମାଡ଼ି ।
ହଇରେ ବାବୁଲା ତୁ ତ ବାରବୁଲା
ମନେ ପକା ଭାଇ କଞ୍ଚା ଆମ୍ବ ପାଇଁ
ଯାଇଥିଲେ ତଳ ତୋଟା ,
ତୋଳିଲେ ଯେମିତି ଢେଲାଟେ କେମିତି
ଗହୀର ମୋଡରେ ବାଜନ୍ତେ ଗୋଡ଼ରେ
ଫୁଲି ହୋଇଗଲା ମୋଟା ।
ଦେଉଳ ପଛରେ ଅଶ୍ବତ୍ଥ ଗଛରେ
ଝଙ୍କାଳିଆ ଡାଳେ ଚଢ଼ି ବାଳକାଳେ
ଧରୁ ଧରୁ ଗୋଟେ ପେଚା ,
ପଡିଯାନ୍ତେ ତଳେ ହସୁଥିଲେ ଶଳେ
ବୋଲି ସେ କହିଲା ଯେତେକ ସହିଲା
ପିଠିଫଟା ମାଡ଼ ଛେଚା ।
ଲୁଙ୍ଗିଟାକୁ କଷି ଭିତରକୁ ପଶି
ବୋଇଲା ମୁକୁନ୍ଦା ଦେବି ଦୁଇ ଖୁନ୍ଦା
ତୋ ଭଳି ବେହିଆ ନାଇଁ ,
ପ୍ରଧାନ ଗଡିଆ ହିଡରେ ନଡିଆ
ତୋଳୁଥିଲେ ଦୁହେଁ କହ କେଉଁ ମୁହେଁ
ଡରି ପଳେଇଲୁ ଧାଇଁ ?
ବାବୁଲା ତାପରେ ପଡିଲା ଖାପରେ
ନିଜ କାନ ମୋଡି କହେ ହାତ ଯୋଡି
ଯାଇଥିଲି ଗଡିଆକୁ ,
ଠାକୁର ହିଁ ସାକ୍ଷୀ ଭାକୁରଟେ ଟାକି
ମୋ ଆଡକୁ ଚାହିଁ ଟିକେ ଡର ନାହିଁ
କରୁଥିଲା ପାକୁ ପାକୁ ।
ଗଡିଆ ଭିତରେ ସେଦିନ ଶୀତରେ
ବହୁ ଚେଷ୍ଟା କରି ଆଣିଥିଲି ଧରି
ସେଥିପାଇଁ ହେଲା ଡେରି ,
କଳହ କିପାଇଁ କରୁଛୁରେ ଭାଇ
ତୋତେ ତ ନପାଇ ଖୋଜୁଥିଲି ଯାଇ
ଘରକୁ ଗଲୁ କି ଫେରି ?
କେତେ ଡିଆଁ ଡେଇଁ ମଜାଳିଆ ସେଇ
କଥା ସବୁ ଶୁଣି ଭାବି ହେଲି ପୁଣି
ଫେରନ୍ତା କି ପିଲାବେଳ ,
ଯେତେ ଲୁଚକାଳି ଛୁଆଁ ଛୁଇଁ ପାଳି
ସାଙ୍ଗ ଜଣେ ଜଣେ ଅଛନ୍ତି ବି ମନେ
ହୋଇଥିଲୁ ଯେତେ ମେଳ ।
ପ୍ରସନ୍ନ କୁମାର ମାଦଳା
