ନିଃସଙ୍ଗତା
ନିଃସଙ୍ଗତା
ଭାରି ଭଲ ଲାଗେ ନିଃସଙ୍ଗ ଜୀବନ
ଭଲ ଲାଗେ ନିଃସଙ୍ଗତା
ତୁମ ଠାରୁ ଇଏ ଶହେ ଗୁଣ ଭଲ
ଦେଉନି କେବେ କ୍ଳିଷ୍ଟତା।
ଛାଡିଗଲ ଯେବେ ଅଧା ବାଟେ ତୁମେ
ଦେଇ ଯେ ଅସରା ଲୋହ
ବନ୍ଧ ଭାଙ୍ଗୁଥିଲା ଅମାନିଆ ହୋଇ
ଛାତିରେ ଅମାପ କୋହ।
ସେଇ ପ୍ରହରରୁ ଏଇ ନିଃସଙ୍ଗତା
ମୁଣ୍ଡ ମୋ ଆଉଁସି ଦେଇ
କହିଲା ତୋ ସାଥେ ସବୁ ବେଳେ ଥିବି
ଅତି ଅନ୍ତରଙ୍ଗ ହୋଇ।
କେତେ ଯେ ନିଦାଘ ଥକି ଯେ ଗଲେଣି
ଦେବାକୁ ମୋତେ ଯାତନା
ଶ୍ରାବଣୀର ଧାର ବାହୁଡି ସାରିଲେ
ନ ଦେଇ ଲୁହର ବନ୍ୟା।
ଦୁନିଆରେ ଅଛି ଯେତକ କେଳେଶ
ସବୁ ତୁମ ଆଗେ ତୁଚ୍ଛ
ବିଶ୍ଵାସର ସୌଧ ଭାଙ୍ଗିଚାଲିଗଲ
ପ୍ରେମ ଥିଲା ତୁମ ମିଛ।
ଏକଲାପଣ ବି ଛାଡୁ ନାହିଁ ମୋତେ
ନେଇ ଆସେ ତୁମ ସ୍ମୃତି
ଏ ଜୀବନ ଖାଲି ଦେଉଛି ଖୁଣ୍ଟଣା
ଗାଇ ଯେ ବିରହ ଗୀତି।
ତୁମେ ଆସିବନି ଜାଣିଛି ଏ ମନ
ତଥାପି ପ୍ରତୀକ୍ଷା କରେ
ନିସ୍ତବ୍ଧ ରାତିର ତମସା ଭିତରେ
ଝୁରି ଝୁରି ନିତି ମରେ।
