ଆଙ୍ଗୁଳି ଅଗରେ ପ୍ରଜାପତି
ଆଙ୍ଗୁଳି ଅଗରେ ପ୍ରଜାପତି
ଦେଖିଛି, ତୁମ ପ୍ରତିଟି ନିଃଶ୍ବାସରେ
କେମିତି ଫୁଲଗଛରେ
କଅଁଳେ ଛନଛନ ପତ୍ର
ଫୁଲ କଡ଼ିରେ ନେସି ହୁଏ ରଂଗ
ତୁମ ହାତଛୁଆଁରେ
ଫୁଟେ ଶତକଦମ୍ବ
ତୁମ କୁନ୍ତଳ ପବନରେ ଉଡିଲେ
ଲହଡି ଭାଂଗେ
ଯୁମୁନାର ଛଳଛଳ ଜଳ।
ତୁମ ଆଖିର ମୋତି ଭଳି
ଝଲସେ ସାରା ବୃନ୍ଦାବନ !
ବଡ ମାୟାବୀ ବୃନ୍ଦାବନର
ଜହ୍ନରାତି ??
ଡର ଲାଗୁଥଲା, କାଳେ ମୋତେ
ଏକା ଏକା ଛାଡି ଚାଲିଯିବ
ନିଶାର୍ଦ୍ଧରେ ଗୋପୀ ସାଜି
ଯମୁନାକୂଳ !!
ପରକରି ସବୁଦିନ
ଅଦୃଶ୍ୟ ସମ୍ମୋହନ ମାୟାରେ....!
ତୁମ ତ ଥିଲ ନିର୍ବିକାର
ଦୁଇ ହାତ ଛନ୍ଦି ଦେଇ ଗଳାରେ
ସେଦିନ କହିଥିଲ, "ଛୁଇଁ
ଦେଖ ନା ମୋ ଦେହ,
"ପଦ୍କଗନ୍ଧା ମୁଁ,
ତୁମ ପ୍ରେମିକା କି ରାଧା ନୁହେଁ,
ଜୀବନ ବୀଣାରୁ ଛିଣ୍ଡି ପଡିଥିବା
ଖଣ୍ଡେ ତାରର ବେସୁରା ରାଗିଣୀ।
ସାଦା କାଗଜରେ ଲେଖା
ପ୍ରିୟ କବିତା ତୁମର।
ଟୋପାଏ ଦରଦୀ ଲୁହ
ତୁମ ରୁଗଣ ଆଶାର !"
ପଢି ପାରିନି ତୁମ ଆଖିର ଭାଷା
ବୁଝି ପାରିନି ବୃନ୍ଦାବନର ମାୟା
କେବଳ ଏତିକି ଜାଣିଥଲି
ତୁମେ କେବେ ବି ଏକା ଯାଅନି
ଗାଁ ପୋଖରୀ ତୁଠକୁ
ହାତଧରି ଡାକିନିଅ ମୋତେ।
ସବୁବେଳେ ଡରୁଥାଅ
ସ୍ନାନସାରି ଫେରିବା ବାଟରେ
କାଳେ ଗୋଡାଇ ଡରାଇବ
କଳା ଭଅଁର !!
ଅଥଚ ପ୍ରଜାପତିଟିଏ ଉଡି ଆସି
ବସିଗଲେ ତୁମ କୁନ୍ତଳରେ
କି ଆଙ୍ଗୁଳି ଅଗରେ
ଓଠରେ ଚହଟେ ସ୍ମିତ ହସ
ଗାଁକୁ ଫେରିଆସେ ଅଦିନ ବସନ୍ତ !
ଘର ଅଗଣା ପାଲଟିଯାଏ
ମନ ବୃନ୍ଦାବନ !!
ଭାବି ନ ଥିଲି ରାତିର ମାୟା ତୁମକୁ
ଟାଣି ନେଇଯିବ ଯମୁନା କୂଳକୁ...
ଟାଣିନେବ ଅନାହତ
ବଂଶୀର ସ୍ବନ
ବହୁ ଦୂରକୁ !!
ତୁମେ ବାଟଭାଂଗି ଚାଲିଯିବ।
ଦେଖ, ସେଦିନୁ
ଅପେକ୍ଷାରେ ବସିଛି ,
ସାରାରାତି।
ଡ୍ରେସିଂ ଟେବୁଲ ଉପରେ
ସାଇତି ରଖିଛି ତୁମ ପାଇଁ
ଯାବତୀୟ ପ୍ରସାଧନୀ ସାମଗ୍ରୀ,
ପିନ୍ଧା ପାଉଁଜି , କେଶଗୁଚ୍ଛର
ପ୍ରଜାପତି କ୍ଲିପ, ଅଳତା, ସିନ୍ଦୁର।
ଘର ଭିତରେ ବିରାଜୁଛି
ବହଳ ଚିତ୍ରିତ ଅନ୍ଧାର
ଝରକା ବାହାରେ ସଫା ଦିଶୁଛି
ଭିନ୍ନ ପୃଥିବୀ
ମେଘଛାଇ ମିଶା ଜହ୍ନରାତି।
ଧୀରେଧୀରେ ଫର୍ଚ୍ଚା ପଡି ଆସୁଛି।
ଆଜି ଆଖି ଭାରି ଖୋଜୁଛି
ତୁମ ଆଙ୍ଗୁଳି ଅଗରେ ବସିଥିବା
ରୂପାନ୍ତରିତ ପ୍ରଜାପତିକୁ
କ୍ଷଣଟିଏ ଦେଖିବାକୁ
ଉଡିଯିବା ଆଗରୁ.... !!
*******