ଯବନିକା
ଯବନିକା
କାମିନୀ କାଂଚନ ଅନୁରାଗ ଘାରେ ନିଶା
ପ୍ରେମ ରସ ଭରା ଯୌବନ ଜୀବନ ଦଶା ।
ସାଗର ଭିତରେ ଲହଡି ଧାଉଁଛି କୂଳ
ପ୍ରୀତିର ଜୋଛନା ମାଗୁନାହିଁ ନେବ ମୂଲ ।
ନଦୀ ହେଲେ ପାରି ପ୍ରିୟାର ନଗରୀ ବାଟ
କେତେ କଣ୍ଟା ଝଟା ଅତିକ୍ରମ କରି ଘାଟ ।
ଫୁଙ୍ଗୁଳା କୁନ୍ତଳା ଲୁଟିଛି ନିତମ୍ବ ଦେଶ
ଅଭିସାର ସାଜି ଅପେକ୍ଷା ପ୍ରେମିକ ପାସ ।
ପ୍ରେମ ପ୍ରଜାପତି ଚୁମିଯାଏ ଫୁଲ ଫୁଲ
ମନ ଉପବନେ ଗୋପନ କାହାଣୀ ତୁଲ।
ଦିବସ ରଜନୀ ପରବତ ଝୁରେ ବସି
ସବୁଜ ବନାନୀ ଛୁଇଁ ଯାଏ ପ୍ରାଣ ହସି ।
ଆକାଶ ବେଢ଼ିଛି ମରୀଚିକା ସୀମା ଡେଇଁ
ଧରିତ୍ରୀ ରୂପରେ ପାଗଳ ପ୍ରେମିକ ଟେଇ ।
ସୁଯ୍ୟଙ୍କ ତେଜକୁ ପ୍ରଣୟ ବିଭୋର ଭୂମି
କ୍ଲାନ୍ତ ସହବାସ ଜଳ ଢାଳେ ହୋଇ ଉର୍ମି ।
ନିଦାଘ ରେ ବଂଶୀ ବଜାଏ କୋକିଳ ବସି
ଗୋପ ଗୋପୀ କୂଳ ମୂର୍ଚ୍ଚନା ରେ ଗଲେ ଫସି ।
ତରୁ ଦୃବାଦଲ ଜୀବନ ପ୍ରେମରେ ଭରା
ଛାଡିନପାରନ୍ତି ପିଛା ଆଲୋକକୁଁ ଧରା ।
ଶାଶ୍ୱତ ଛବିଳ ପ୍ରେମ ଚିତ୍ର ଆଙ୍କି ଘନ
ଘୋଟିଆସେ ମତ୍ତ ପ୍ରମତ୍ତ ହସ୍ତୀଟି ମନ ।
ଚାରୁ ଚିତ୍ର ମାଳା ପ୍ରକୃତି ରଚନା କରେ
ସୁଯ୍ୟ ଚନ୍ଦ୍ର ତାରା କଳ୍ପନାରେ ନିତି ବରେ ।
ପ୍ରେମରେ ସଙ୍ଗୀତ ଇଙ୍ଗିତ ପ୍ରଣୟ ପ୍ରୀତି
ସୁଷମା ସୁବାସ ସୃଷ୍ଟି ରଙ୍ଗ ଖେଳେ ନିତି ।
ଗୋପନ ଛନ୍ଦରେ ସୋପାନ ସୋପାନ ମଧୁ
ଦେହକୁ ଶାଢ଼ୀଟା ଲୁଚେଇ ଦେଇଛି ବଧୁ ।