ପଦ୍ମତୋଳା
ପଦ୍ମତୋଳା
ଲକ୍ଷେଭାର ପଦ୍ମ ଦେବୁକି କହ୍ନାଇ
ନଥିବ ପାଖୁଡା ମିଶା କି ଗୋବିନ୍ଦ ହରି..
ମୁଣ୍ଡରେ ବାନ୍ଧିଣ ଠେକା
ନାଗଧୂନ ବଜାଉଛି କେଳା
ପେଡିରେ ପୂରାଇ ହାତ
କାଢୁଅଛି ଜାତି ଜାତି ସର୍ପ ।
ଚିହ୍ନାଇ କହୁଛି ଭାଇ ହେଇ ଦେଖ
ଛଡାଇଛି ଏବେ କାତି ଫଣାରେ କଠଉ ଚିହ୍ନ
ଏହିଟି ଗୋଖର ,
ଇଏ ତମ୍ପ ,ଅହିରାଜ, ପଦ୍ମନାଗ
ମହାଗରୁ ଏହା ଅଜଗର ।
ଚର୍ତୁପାର୍ଶ୍ବେ ଲାଗିଥିଲା ଦର୍ଶକ ଗହଳୀ
ଶୁଭୁଥିଲା ରହି ରହି ଘନ କରତାଳି
କହୁଥିଲା ଉଚ୍ଚ ସ୍ବରେ ସାପୁଆଟି
ପାଟିରେ ତା ନବାଜେ ବାଟୁଳି ,
ରଖିଛି ଜାରମହୁରା ପାଶେ ତାର ଗଦ
ବିଷଧର ଦାନ୍ତସବୁ ଦେଇଛି ସେ ଝାଡି
ବିଷଧର ଗହଣେ ତା ବିତୁଅଛି ରାତ୍ର ଦିନ
ପାଳୁଛି ପେଟପାଟଣା ଗାଁ ଗାଁ ବୁଲି
ଜଣା ତାକୁ ଅଦ୍ଭୁତ ଗାରେଡ଼ି ।
ରଖିଛି ସେ ମହୌଷଧି ମନ୍ତୁରା ତାବିଜ
ନେଇ ପାର ମୂଲ୍ଯ ଦେଇ ଯିଏ କେହି
ସାଧାରଣ ଦିବ୍ଯ ଚେରମୂଳି
ବିଶ୍ବାସକୁ ମୂଳକରି ଦେଖଣାହାରୀଙ୍କ ମୁଣା
ହୋଇଯାଏ ଖାଲି ।
ଧନ୍ଯ ବିଦ୍ଯା ଭୋଜବାଜି ,ଡିବିଡିବି ବାଇଦ ବାଜଣା
ଭେଳିକି ଓ ପ୍ରଦର୍ଶନ କରେ ବାଟବଣା
ବିକଟାଳ ଅଟ୍ଟହାସ୍ଯ କରେ କଂସାସୁର
ପିଉଥିଲେ ପିଉଛନ୍ତି ଆଖିବୁଜି ବିଷଧର କ୍ଷୀର
ଜଣାନାହିଁ ପ୍ରଦୂଷଣ କେବେ ହେବ ଦୂର
ଜୀବନ କାଳିନ୍ଦୀ ତଟ ହେବ ସୁନିର୍ମଳ
ହେବ ପୁଣି ବୃନ୍ଦାବନ ଗୋପପୁର
ସବୁଜ ସୁନ୍ଦର ।
