ପାର୍ବଣ ଋତୁ
ପାର୍ବଣ ଋତୁ
ନୀଳ ଆକାଶର ନୀଳିମା କୁଞ୍ଜରେ,
ଜୋଚ୍ଛନା ଝରାଇ ଜହ୍ନ
ପ୍ରୀତି ପାଗଳିନୀ କୁମୁଦିନୀ ରାଣୀ,
ବିଧୂ ପ୍ରେମେ ହୁଏ ଲୀନ ।
ରଜତ ଲାଂଛନା ସବୁଜ ପତ୍ରରେ,
କୌମୁଦୀ ସ୍ନାତ ଶାଳୀ
ଅଗସ୍ତି ଆଲୋକ ଦିଶେ ଜକମକ,
ଜଳାଶୟେ ଖେଳେ ରୋଷଣୀ ।
ଜ୍ୟୋସ୍ନାବିଧୌତ ରଜନୀ ବୁକୁରେ ,
ରୌପ୍ୟରାଗ ଚନ୍ଦ୍ରାତପ
ସତେ କି ହିମାଂଶୁ ଚନ୍ଦ୍ର ତାରା ମେଳେ,
କରୁଛନ୍ତି ଧ୍ୟାନ ତପ ।
ବିଭୋରିତ ମନେ ପୁଷ୍ପାଦଳ ମାନେ,
ମକରନ୍ଦ ବିଛୁରିତ
ସହସ୍ର ପାଖୁଡା ତାମ୍ରରସ ଚୂଡ଼ା,
ଲଜ୍ୟା ମୁଖ ଅବନତ ।
ଚୋରା ଚାହାଣୀରେ ପର୍ଣ୍ଣ ଆଡେଇ,
ପୁଷ୍ପ ଦିଏ ପ୍ରୀତି ଚିଟାଉ
ସମୀରର ତାଳେ ଗୁଣୁଗୁଣୁ ହୁଏ,
ଅଳି ଶଙ୍ଖ ବଜାଉ ବଜାଉ ।
ପ୍ରଜାପତି ମାନେ ମହା ପଟୁଆରେ,
ପାର୍ବଣର ସ୍ୱାଗତରେ
ଶୁଦ୍ଧପୂତ ମନେ ମାତୃକୃପା ଭିକ୍ଷା,
ଶାରଦୀୟ ପାର୍ବଣରେ ।
ଢେଉରେ ଢେଉରେ ନୀଳ କଇଁ ନାଚେ,
ନୀଳ ସରସୀର କୋଳେ
ରାକା ରାଜନୀର ମୋହିନୀ ଜାଲରେ,
ଜଳେ ପ୍ରୀତି ଦାଵାନଳେ ।
ଶରତ ଶଶାଙ୍କ ସ୍ପର୍ଷେ ଦ୍ୟାବl ପୃଥ୍ୱୀ,
ହେମକାନ୍ତି ଶରୀରରେ
ବନ ହଳଦୀର ପିତ୍ତରଙ୍ଗ ବୋଳି,
ଜହ୍ନି ଫୁଲ କବରୀରେ ।
ମୃଦୁ ପରାଗେ ଶୁଭ ଆବାହନୀ,
ପାର୍ବଣ ଋତୁ ଆସେ
ପ୍ରକୃତି ପିନ୍ଧଇ କାଶତଣ୍ଡୀ ବାସ.
ମା ଦଶଭୁଜା ଆସେ ।।
