ପାପ ଅଟେ ନିଆଁ ହୁଳା
ପାପ ଅଟେ ନିଆଁ ହୁଳା
ପାପୀର ମନରେ କୁହୁଳଇ ଧୂଆଁ
ନୀଚ୍ଚ ଘୃଣ୍ୟ ପାପାନଳ
ଆତ୍ମଘାତୀ ପାପ ଦହେ ଜୀବନକୁ
ଆପଣାର ହେଉ ପର ।
ବିନା ପରିଶ୍ରମେ ଚାହେଁ ଉପଭୋଗ
ଉଚ୍ଛନ୍ନ ପାପୀର ମନ
କଳେ ହେଉ ବଳେ ଅବା କଉଶଳେ
ସ୍ୱାର୍ଥକୁ କରେ ସାଧନ ।
ନଚାଏ ସଭିଙ୍କୁ ନିଜ ଚଉପାଶେ
କୂଟବୁଦ୍ଧି ଚକ୍ରବର୍ତ୍ତୀ
ଅପହରେ ସୁଖ ପରଶ୍ରୀକାତର
ଶୋଷେ ରକ୍ତ ତଣ୍ଟିଚିପି ।
ଜାତକେ ତା ନାହିଁ ଦୁଖ ପଶ୍ଚାତାପ
ସଦ୍ଭାବନା ସମ୍ବେଦନା
ସତକୁ ସେ ମିଛ ମିଛକୁ ବି ସତ
କରଇ ତୁଚ୍ଛା ବାହାନା ।
ଗୋଡ଼କୁ ସେ ଟାଣେ ଅସାଧୁ ଉପାୟେ
ବିଶ୍ବାସ ଘାତକ ପାପୀ
କାର୍ଯ୍ୟକୁ ହାସଲ କରିବାକୁ ସିଏ
ନିମ୍ନେ ଯାଇପାରେ ଖସି ।
ଭରସାର ପାତ୍ର ହୁଏନାହିଁ କେବେ
ଆହାରେ ଦିଅଇ ବିଷ
ନିଜକୁ ମଣଇ ସବୁଠାରୁ ଶ୍ରେଷ୍ଠ
ସମ୍ମାନର ପଦବାଚ୍ୟ ।
ବଖାଣି ହୁଅଇ ଆତ୍ମ ବଡିମାକୁ
ନିର୍ଲଜ ପାପିଷ୍ଠ ଜନ
କଳି ତକରାଳ ସୃଜେ ଅକାରଣ
ଭେଦ ଦ୍ୱନ୍ଦ ବିଭାଜନ ।
ନିଆଁ ଅଙ୍ଗାରକୁ ଗିଳୁଥାଏ ଲୋଭେ
ପୂରିଯାଏ ଯେବେ ଘଡା
ବାପ ବାପ କହି ଫୁଟିକି ବାହାରେ
ପାପ ଧୂଆଁ ନିଆଁହୁଳା ।