ନିର୍ବାଣ
ନିର୍ବାଣ
ସବୁ ହେଲା ଶେଷ କିନ୍ତୁ ଅଛି ବାକି
ଶବ୍ଦ ଯାହା ନ ଶୁଭଇ
ଚିନ୍ତାମୁକ୍ତ ହୋଇଗଲା ମୋ ମନଟି
ହୃଦୟେ ଦୁଃଖ ନଥାଇ।
ସର୍ବବ୍ୟାପୀ ନୀରବତା ବିରାଜଇ
ବିସ୍ତାରିତ ସତ୍ୟ କାୟା
ବିଶ୍ଵାସ ଉର୍ଦ୍ଧ୍ବରେ ପହଞ୍ଚିଛି ସିଏ
ତେଜି ବନ୍ଧନ ମାୟା ।
ଜଣା କି ଅଜଣା ନ ଦିଶଇ କିଛି
ଅହଂକାର ନାହିଁ ତିଳେ
ପ୍ରକୃତି ବି ହୋଇଗଲା ଅନ୍ତର୍ହିତ
ଯୋଗ ସାଧନାର ବଳେ।
ଦିଶଇ ସହର ଛାୟାକଳ୍ପ ପରି
ଥିଲା ଯେ ଚଳଚଞ୍ଚଳ
ଭାସଇ, ଥରଇ, ଲାଗେ ଅବାସ୍ତବ
ପାର୍ଥୀବ ରୂପ ସକଳ।
ବହିଯାଏ ଚଳଚ୍ଚିତ୍ର ଦୃଶ୍ୟ ଶୂନ୍ୟାକାରେ
ଲାଗେ ସେ ଖାଲି ନିଷ୍ଫଳ।
ଥଳ କୂଳ ନାହିଁ , ଅତଳ ସାଗର
ସର୍ବତ୍ର ବିଜେ ଶୂନ୍ୟତା
ଡୁବିଗଲେ ତହିଁ ନମିଳଇ କିଛି
ବିଶ୍ଵ ସାରା ନୀରବତା ।
କେବଳ ମିଳଇ ଅସୀମଙ୍କ ଦେଖା
ପରମ ବିସ୍ମୟ ସେହି
ନାହିଁ ତ ଆକୃତି, ନିଶ୍ଚଳ ,ପ୍ରଶାନ୍ତ
ବିଶ୍ଵ ବ୍ୟାପକ ଦେହୀ।
ଯାହାଥିଲା ମୋ ଭିତରେ ଗୋପନରେ
ବଦଳେଇ ଦେଲି ତାକୁ
ଅସୀମଙ୍କୁ କଲି ସ୍ଥାପନା ତହିଁରେ
ଜ୍ୟୋତିର୍ମୟ ଶାଶ୍ଵତଙ୍କୁ।
ଅସ୍ତିତ୍ବ ମୋହର ରହିଲାନି ତିଳେ
ହୋଇଲା ନିଶ୍ଚଳ ମନ
ନିସ୍ତେଜ ଅବସ୍ଥା ଗଲା ତ ଦୂରେଇ
ପୁଲକିତ ହେଲା ପ୍ରାଣ ।
