ନ ନିଅ ମେଲାଣି
ନ ନିଅ ମେଲାଣି
ଦୁର୍ଗତେ ତୁ ସାହା ବୋଲି ଦୁର୍ଗତି ନାଶିନୀ,
ଜଗତ ପାଳୁଛୁ ବୋଲି ଜଗତ ଜନନୀ ।।
ବରଷକେ ଥରେ ମାତା ବିଜୟ ଅବନୀ,
ଦୁଷ୍ଟ ସଂହାରଣେ ତୋତେ ଡାକିଛୁ ଜନନୀ ।।
ଆସିଛୁ ମା ଧରାଧାମେ ତେଜି କଇଳାଶ,
ତୋର ଆଗମନେ ମର୍ତ୍ତ୍ୟେ ପୂରି ଅଛି ହସ ।।
ସାରା ବିଶ୍ବବାସୀ ତୋତେ କରିଲୁ ସ୍ଵାଗତ,
ଦୁଷ୍ଟ ନାଶିବାକୁ ଆସିଅଛୁ ଏ ମରତ।।
ତୋର ଆଗମନ ଦେଖି ଖୁସି ଭକ୍ତ ଜନ,
ଦୈତ୍ୟ ନାଶି ଫେଡ଼ ମାଗୋ ଆମର ଦୁର୍ଦ୍ଦିନ ।।
ମାତା ମାତା ରଟୁ ଅଛୁ ମୋଦେ ଦିବା ନିଶି,
ମାତା ଙ୍କ ଦର୍ଶନ ପାଇ ହେଉଛନ୍ତି ଖୁସି ।।
ମାତା ସିନା ବୁଝେ ସଦା ସନ୍ତାନ କଷଣ,
ପାପୀ ଅତ୍ୟାଚାରେ ସର୍ବେ କରନ୍ତି ରୋଦନ ।
ଶୋଷଣ, କଷଣ,ଅତ୍ୟାଚାର ପ୍ରପୀଡ଼ିତ,
ତୋ ପରି ଜନନୀ ଥାଇ ପ୍ରାଣ ସନ୍ତାପିତ।।
ଅବଳା ଜାତି ଟା ଆଜି ଦୈତ୍ୟ ର ପ୍ରଭାବେ,
ଘର କୋଣେ ବସି କାନ୍ଦେ ନିରତେ ନୀରବେ ।।
ଧର୍ମ ନାମେ ବ୍ୟବସାୟ ଚାଲେ ରାଜନୀତି,
ଦୟା ଧର୍ମ ନୈତିକତା ସବୁ ଭୁଲିଛନ୍ତି ।।
ମହାକାଳ ଫଳ ପରି ଉପର ସୁନ୍ଦର,
ଭିତର କି ନାରଖାର ପୋଡ଼ିଲା ଅଙ୍ଗାର ।।
ନିର୍ଯାତନା ବଳାତ୍କାର ଦୁଷ୍କର୍ମ ଚାଲିଛି ,
ପ୍ରାଣ ଭୟେ ପ୍ରଶାସନ ନୀରବ ରହିଛି ।।
ମାନବିକତା ଆଜି ସୁଦୂର ପ୍ରସାରୀ,
ମୁଖା ପିନ୍ଧି ଧର୍ମଦ୍ରୋହୀ ସାଧୁ ସନ୍ଥ ପରି ।।
ସହି ହେଉ ନାହିଁ ଆଉ ଅନୀତି ଅନ୍ୟାୟ,
ଏମନ୍ତ କାଳରେ ମାତା ତୁ ଏକା ସହାୟ ।।
ଅନନ୍ତ ଶକ୍ତି ସ୍ୱରୂପା ଜଗତ ଜନନୀ,
ଚିର ଦିନ ମର୍ତ୍ତ୍ୟ ଧାମେ ରହ ମା ଭବାନୀ ।।
ଚଣ୍ଡ ମୁଣ୍ଡ ବୁଲୁଛନ୍ତି ରାଜ ରାସ୍ତା ପରେ,
ମହିଷା ଅସୁର ସଦା ଅଟ୍ଟହାସ୍ୟ କରେ ।।
ମଧୁ କଇତଭ ରକ୍ତବୀର୍ଯ୍ୟ ମାଳ ମାଳ,
ଶୁମ୍ଭ ନିଶୁମ୍ଭ ର ଶକ୍ତି ହେଲାଣି ପ୍ରବଳ ।।
ସରିନି କଷଣ ମାତା ମରିନି ଅସୁର,
କେମିତି ଯିବ ଜନନୀ କଇଳାସ ପୁର ।।
ନାରୀ ନାରାୟଣୀ ସିନା କହିବାରେ ସାର,
ପୁରୁଷ ଶକ୍ତି ହାତରେ ଖେଳନା ମାତର ।।
ଶୋଷଣ କଷଣ ସହେ ହୋଇ ଭୟଭୀତା,
ସର୍ବ ନାରୀ ମଧ୍ୟେ ମାତା ହୁଅ ଆବିର୍ଭୂତା ।।
ଯାଅ ନି ମରତ ତେଜି ରହ ଧରା ପରେ,
ତୁମ୍ଭ ଦୟା ହେଲେ ଶାନ୍ତି ଆସିବ ମର୍ତ୍ତ୍ୟ ରେ ।।
ଦୁର୍ଗତି ନାଶିନୀ ମାତା ନ ନିଅ ମେଲାଣି,
ପାପର ଭାର ରେ ଧରା ବୁଡି ତ ଗଲାଣି ।।
ତୁମ ଚରଣ ରେ ମାତା କରୁଛୁ ଦୟିନୀ,
ମର୍ତ୍ତ୍ୟ ଧାମେ ରହିଥାଅ ନ ନିଅ ମେଲାଣି ।।