ମୁଠାଏ ଭାତ
ମୁଠାଏ ଭାତ
ମୁଠାଏ ଭାତ ବିନା ଭୋକରେ ଆଉଟୁ ପାଉଟୁ ହୁଏ ଜୀବନ
କେଉଁଠି ଯୁଝୁଥାଏ ମଣିଷ ଗଳିକନ୍ଦି ରାସ୍ତାକଡ଼େ
ବୁଲା କୁକୁରଙ୍କ ସଙ୍ଗେ ତ
କେବେ ପୁଣି ଅକାଳରେ ଝରିପଡେ,
ତା ହାଡ଼ ପିଞ୍ଜରା ଥରାଇ
ଅନାହାରେ ଛାଡିଯାଏ ପ୍ରାଣ ।
ଭୋକର ନିର୍ମମ ଦାଉରୁ ବର୍ତ୍ତେ ନାହିଁ
କୋମଳ ନିଷ୍ପାପ ଶିଶୁ
ନିଷ୍ପ୍ରଭ ନିସ୍ତେଜ ତାର ନୟନର ଜ୍ୟୋତି
ନଙ୍ଗଳା ଫୁଙ୍ଗୁଳା ଦେହ
ମିଶିଥାଏ ପେଟ ସହ ପିଠି,
ମୁଠାଏ ଭାତ ପାଇଁ ତ ଛାଡିଯାଏ
ଏ ମଣିଷ ଆପଣାର ନିଜ ଭିଟାମାଟି ,
ଠିକାଦାର ପହୁଞ୍ଚାଏ ଅଜଣା ଅଶୁଣା ଜାଗା
ଜୀଇଥାଇ ମାରୁଥାଏ ନିତି ନିତି
ଦାଦନକୁ ଖଟି ଦାନ୍ତ ଚିପି ।
ସୁଲଭରେ ସମସ୍ତଙ୍କୁ ମିଳିବାକୁ
ମୁଠାଏ ମୁଠାଏ ଭାତ
ନିଗିଡଇ ଶ୍ରମ ଝାଳ, ଲୁହଲହୁ ହୁଏ ଏକାକାର
ବେପାରୀଙ୍କ ଦଉଡ଼ଇ ଗାଡ଼ି ଘୋଡ଼ା
ଫୁଲିଉଠେ କୋଠାବାଡ଼ି ଛାତି,
ଚାଲେ କେତେ ହୀନ ରାଜନୀତି
ହେଲେ ; ପୂରେ ନାହିଁ ଗରୀବର ପେଟ
ଭାଗ୍ୟକୁ ଆଦରି ସିଏ
ରହିଥାଏ ବଞ୍ଚି ।
-------
