ମୁଁ ପ୍ରୀତି କହୁଛି
ମୁଁ ପ୍ରୀତି କହୁଛି
ଶୁଣିଲି ଏ ଚାଞ୍ଚଲ୍ୟକର
ଖବର ପ୍ରକାଶ ପାଇଲା ବେଳେ
ସମ୍ବାଦ ପତ୍ରଟି କାଳେ
ଭିଜି ଯାଇଥିଲା ରକ୍ତରେ ,
ଟେଲିଭିଜନ୍ ର ପର୍ଦ୍ଦାରେ
ଭଲପାଇବାର ଇନ୍ଦ୍ରଧନୁ
କାଳେ ଲାଲ୍ ହୋଇଯାଇଥିଲା
ଟୁକୁଡା ଟୁକୁଡା କଟା ମାଂସରେ ,
ଆକାଶବାଣୀର ଘୋଷିକା ଙ୍କ ସ୍ବର
କୋହରେ ଥରି ଯାଇଥିଲା ।
ଏ ଭୟଙ୍କର ସମ୍ବାଦ
ପରିବେଷଣ ବେଳେ
ମୁଁ ପ୍ରୀତି , ଅଶରୀରି
ଏବେ ଶୂନ୍ୟ ରୁ ହିଁ ପ୍ରଶ୍ନ କରୁଛି
ସତ କୁହ
କେତେ ଖଣ୍ଡ କରି କାଟିଥିଲ ମୋର ଦେହକୁ
ସତୁରି ଖଣ୍ଡ ନା
ସତର ଶହ ଖଣ୍ଡ କରି
ଆଉ ସଜାଇ ଦେଇଥିଲ
ଫ୍ରିଜ୍ ର ଥାକରେ
ଯେଉଁଠି ମୁଁ ସଜାଇ ରଖୁଥିଲି
ତୁମ ପାଇଁ ଭଳିକି ଭଳି
ସୁସ୍ବାଦୁକର ଖାଦ୍ୟ ଓ ଆଇସକ୍ରିମ୍ ।
ବିବାହ ବେଦୀର
ପବିତ୍ର ଯଜ୍ଞ ଅଗ୍ନିକୁ
ପ୍ରଦକ୍ଷିଣ କଲାବେଳେ
ଶପଥ ନେଇଥିଲ ନା
ଦଶ ଦୋଷ ନୁହେଁ
ସହସ୍ର ଦୋଷ କ୍ଷମା କରିଦେବ ବୋଲି ।
କେବଳ ଗୋଟିଏ ପ୍ରଶ୍ନ
ତୁମକୁ ପ୍ରିୟତମ
ସତ କୁହ, କ୍ଷୁଧାର୍ତ୍ତ ଅସ୍ତ୍ରରେ
ମୋର ଦେହ କୁ ଖଣ୍ଡ ଖଣ୍ଡ କରିଲା ବେଳେ
କେଉଁ ଅଙ୍ଗକୁ
କାଟିଥିଲ ପ୍ରଥମେ
ତୁମ ପାଇଁ ଅବିରତ
ସ୍ପନ୍ଦିତ ହେଉଥିବା ହୃଦୟକୁ
ଯେଉଁଠୁ ସାରା ଶରୀରକୁ
ସଞ୍ଚାଳିତ ହେଉଥିବା
ପ୍ରତିଟି ରକ୍ତବିନ୍ଦୁ,
ତୁମ ପାଇଁ ଭଲପାଇବାର ସଂଗୀତ ଗାଉଥିଲା ।
ପ୍ରଥମେ କାଟିଥିଲ କି ମୋର ଦୁଇ ହାତ
ଯେଉଁ ହାତ
ଅବିଶ୍ରାନ୍ତ ତୁମର
ପ୍ରତିଟି ଅଙ୍ଗ କୁ ଛୁଇଁ ଛୁଇଁ
ଶ୍ରଦ୍ଧାରେ ଆଉଁସି ଦେଉଥିଲା
ଆଉ ତୁମେ କ୍ଲାନ୍ତଶ୍ରାନ୍ତ ହୋଇ
ଫେରି ଆସିଲା ବେଳେ
ଗରମ ଖାଦ୍ୟ ପରଷି ଦେଉଥିଲା ।
ଛୁରୀ ଭୁଷି ଥିଲ କି ପ୍ରଥମେ
ମୋର ମୁହଁ, ଆଖି ନାକ , କାନ
ଚିବୁକ, କପାଳ।
ଯେଉଁ ଆଖି 👀 ତୁମ ବିନା
ଅବିରତ କରୁଥିଲା ଅଶ୍ରୁସ୍ନାନ
କପାଳ ବି ପିନ୍ଧୁଥିଲା
ତୁମ ପାଇଁ ଆନନ୍ଦ ରେ
ବିନ୍ଦୁଏ ସିନ୍ଦୂର
ଚିବୁକ ସାଇତି ଥିଲା ଚିରକାଳ
ତୁମ ପ୍ରୀତି ଚୁମ୍ବନ ର
ପ୍ରଥମ ଶିକାର... ।
ସତ କୁହ ହାଣିଥିଲ
ପ୍ରଥମେ ପାଦକୁ... ?
ଯେଉଁ ପାଦ ଅଳତା ଓ
ରୂପା ର ପାଉଁଜି ପିନ୍ଧି
ତୁମ 🏠 ଘର ଅଗଣାରେ
ତୋଳିଥିବା ଅଭିନବ
ପ୍ରୀତି ର ଝଙ୍କାର.... ?
ଭିତରେ ଭିତରେ, ତୁମେ
କେବେ ଠାରୁ ଜଳୁଥିଲ.. ?
ନୃଶଂସ ହତ୍ୟା ର ଏଇ
ସୁଚିନ୍ତିତ କୌଶଳ କୁ
ଗୋପନରେ କେବେ ପୋଷିଥିଲ ... ?
କେବେ ଠାରୁ ଲୁଚାଇଥିଲ
ଭଲପାଇବା ର ଏ ସୁନ୍ଦର ମନ ଟିକୁ
ପ୍ରତିଶୋଧ ର ଧୂଆଁ ଭିତରେ... ?
କ୍ରୋଧ ଆଉ ଅସୂୟାର
ଚରମ ଉଗ୍ରତାରେ
ମୋର ଦେହ ର ଟିକି ଟିକି ମାଂସ 🍖 ଖଣ୍ଡ
ଫିଙ୍ଗିଦେଲା ବେଳେ
ହାତ ଥରୁଟିଏ ଥରିଲାନି..... ?
ପାଦ ଅଟକି ଗଲାନି.... ?
ମୁହୁର୍ତ୍ତକ ପାଇଁ... ?
ଆଉ ଅନୁରାଗ ରେ
ଭିଜିଗଲାନି ଆଖି 👀..?
ଅଥଚ ଆମ ପ୍ରୀତି ର ସେ
ପରମ ପରିଭାଷା,
ଆକୁଳ ଅନୁରାଗରେ ଆର୍ଦ୍ର
ପ୍ରେମର ପ୍ରଥମ ପ୍ରତ୍ୟାଶା
ଏବେ ବି ସଞ୍ଚିତ ମୋର
ଦିବଙ୍ଗତ ଦେହ ଦେଉଳରେ.... ।