ମୃଗତୃଷ୍ଣାର ଛାଇ
ମୃଗତୃଷ୍ଣାର ଛାଇ
କବିତା - ମୃଗତୃଷ୍ଣାର ଛାଇ
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୨-୨୦୨୬
++++++++++++++++
ଶାନ୍ତି ଅଶାନ୍ତିର ଚାରିଛକରେ
ଠିଆ ହୋଇ
ନିରୁଦ୍ଧିଷ୍ଟ ନିରବରେ
ଯେବେ ଖୋଜିଲି ତୁମକୁ
ତୁମ ଅସରୀର ସତ୍ତାକୁ
ତୁମ ଗୁଣମୁଗ୍ଧ ବିଭୋର ପଣକୁ
ତୁମେ ନ ଥିଲ ସତ
ତୁମ ମହକିତ ଆବେଗ
ତୁମ ମନ୍ତ୍ରମୁଗ୍ଧ ଅନୁରାଗ ମହମହ ବାସୁଥିଲା ।
ପ୍ରାପ୍ତି ଅପ୍ରାପ୍ତିର ଦୋଛକିରେ
ବସି ରହି
ଏକଲୟରେ ଏକଧ୍ୟାନରେ
ଚୁପ୍ ଚାପ୍ ଅନୁଭବିଲି ତୁମକୁ
ତୁମେମୟ ହେଉ ହେଉ ଅନ୍ୟ ମନସ୍କ ହେଲି
ତୁମକୁ ନେଇ ଭାବନାରେ ବୁଡିଗଲି
ତୁମକୁ କେନ୍ଦ୍ରବିନ୍ଦୁ କରି ବହେ ହସିଲି
ତୁମେ ବାସ୍ତବରେ ନ ଥିଲ ସତ
ତୁମ ଚଳ ଚଞ୍ଚଳ ଅଭିଯୋଗ
ତୁମ ଚପଳ ଛନ୍ଧା ଅଭିନୟ ଅସହଯୋଗ
ତୁମ ମୌନି ଆଖିର ଆପଣାପଣ ଥିଲା ଅନେକ
ବାସ୍ତବ ଅବାସ୍ତବର ଚକ୍ରବ୍ୟୁହରେ
ଫସି ରହି
ଆଶ୍ୱାସନାର ଆର୍ତ୍ତନାଦରେ
ମନେ ମନେ ମଜ୍ଜିଗଲି
ତୁମ ରୂପଲାବଣ୍ୟର ପ୍ରଭାମୟତାରେ
ତୁମ ପଦ୍ମଫୁଲିଆ କଅଁଳ ଛୁଆଁରେ
ତୁମ ସହିତ ବିତେଇଥିବା କ୍ଷଣ ଅନୁକ୍ଷଣରେ
ଅତୀତ ମିଳାମିଶାରେ ଭାସିଗଲି
ତୁମେ ସତରେ ନ ଥିଲ ମୋ ପାଖେ
ତୁମର ଖିଲି ଖିଲି ହସ ମୋତେ ଶୁଭୁଥିଲା
ତୁମର ମିଛି ମିଛିକା ରାଗ ରୋଷ ଅଭିମାନ
ସବୁ ଜଳଜଳ ହୋଇ ବାରି ହେଉଥିଲା କ୍ୟାନଭାସରେ
ସତ୍ୟ ଅସତ୍ୟର ଖରା ଛାଇ ଖେଳରେ
ଚୌକିରେ ବସିରହି
ତଲ୍ଲୀନ ହେଉଥିଲି
ବିଶ୍ରାମ ନେଉ ନେଉ ଭାବୁଥିଲି
ଆଖି କୋଣ ଅନୁକୋଣରୁ
ଲୁହ ଝରୁଥିଲା
ଅଲକ୍ଷ୍ୟରେ ବିରହପଣରେ
ନିଃସଙ୍ଗପଣତାର ଅନୁଭବରେ
ଏକାକୀତ୍ଵକୁ ଜାବୁଡିଧରି ବିଳପୁଥିଲି
ବଞ୍ଚି ବି କୁହୁଳି ଥିଲି ଦରପୋଡ଼ା କାଠ ପରି
ସତରେ
ମୃଗତୃଷ୍ଣାର ମାୟା ମରିଚିକାର ଛାୟା
ଭଲ ପାଇବାରେ ବାୟା ହୋଇ
ଭାଙ୍ଗି ପଡ଼ିଥିବା କାୟାରେ
କେବଳ ଗଣ୍ଠିଲି କରିଥିଲି
ମୋନାଲିସାର ହସ ପରି ଅବୁଝା ଜାୟା
