STORYMIRROR

Kali Kumar

Comedy Romance

3  

Kali Kumar

Comedy Romance

ମୋ ଶ୍ରୀମତୀ ମନ୍ଦ ନୁହଁନ୍ତି

ମୋ ଶ୍ରୀମତୀ ମନ୍ଦ ନୁହଁନ୍ତି

2 mins
282

ମୋ ଶ୍ରୀମତୀ ମନ୍ଦ ନୁହନ୍ତି

ତୁ ରୁ ତୁମେ କେବେ କହି ନାହାନ୍ତି

ସରକାରୀ ଚାକିରିଆ ମୁଁ,

ଚାକର ବୋଲି ସେ ଭାବନ୍ତି

ତାଙ୍କ କଥାରେ ଉଠ ବସ କରାନ୍ତି

ମୋ ଶ୍ରୀମତୀ ମନ୍ଦ ନୁହଁନ୍ତି ।।


ଏବେ ଶ୍ରୀମତୀଙ୍କ ମନ ଟିକେ ଉଣା

କାହିଁକି ନା, 

ଚାରି ମାସ ହେଲା ମିଳିନାହିଁ ମୋତେ ପାଉଣା 

ପ୍ଲାନ୍ କରିଥିଲେ କିଣିଥାନ୍ତେ କିଛି ଗହଣା

ନ ମିଳିବାରୁ ପାଉଣା, ଅଧା ରହିଛି କିଣା

ପ୍ଲାନ୍ ତରକାରୀରେ ମିଶି ନାହିଁ ବୋଲି ପାଉଣା

ସବୁକିଛି ଲାଗୁଅଛି ତାଙ୍କୁ ଅଲଣା

ସେଥିପାଇଁ, ଶ୍ରୀମତୀଙ୍କ ମନ ଉଣା

ଶ୍ରୀମତୀଙ୍କ ମନ ଉଣା ।।


ରାଗ ଜର୍ଜରିତେ ଶ୍ରୀମୁଖରୁ ତାଙ୍କ

ସଂସ୍କୃତ ଦିଅନ୍ତି ଓଗାଳି

ସେ କଥାକୁ ମୁଁ ଭାବେ ନାହିଁ କେବେ ଗାଳି

ଯଦି ମୁଁ ଭାବିବି ଗାଳି

ତେବେ ଅଯଥାରେ ଘରେ ପଶିବ କଳି

ତେଣୁ ଚନ୍ଦନ ପରିକା ସବୁ ସହେ

କିଛି ନ କହି ଚୁପ୍ ହୋଇକି ରହେ ।।


ମୋ ଶ୍ରୀମତୀ Hi - Fi ଟି

କରେ ନାହିଁ ସିଏ ବାସି ପାଇଟି

ମୋତେ ସବୁ କରିବାକୁ ହୁଏ

ବାସି କାମ ସହ,

ତା' ଲୁହାପଟା ବି ଧୋଇ ଦିଏ ।।

କାମ ଦାମ କରିବାକୁ;

ମନ ମୋ ହୁଏନା ଉଣା

କାହିଁକି ନା,

ହଷ୍ଟେଲ ଜୀବନୁ ଶିଖିଛି ଘର କରଣା ।।


ଏସବୁ ପଛରେ;

ମୋର ବି ଅଛି କିଛି ଦୋଷ

ସେଥିପାଇଁ ତ,

ଉଁ ଚୁଁ କିଛି କରେ ନାହିଁ

ତାଙ୍କରି କଥାରେ ହୁଏ ମୁଁ ଉଠ ବସ

କଥାରେ ତାଙ୍କର ହୁଏ ମୁଁ ଉଠ ବସ ।।


ବାହାଘର ବେଳେ ଦି' ଗାଡ଼ି ଭର୍ତ୍ତି ଆଣିଥିଲେ ଯଉତୁକ

କାମ ନ କରିଲେ

ପୋଲିସ୍ ରେ ଦେବ ବୋଲି ନିତି ଦିଏ ସେ ଧମକ

ଧମକରେ ତା'ର ଉଡ଼ିଗଲାଣି ମୋ ମୁହଁର ଚମକ

ନିଃସହାୟ, ଅସହାୟ ମୁଁ,

କାମ ନ କରି; କୁଆଡ଼େ ଆଉ ଯା'ନ୍ତି

ମୋ ଶ୍ରୀମତୀ ମନ୍ଦ ନୁହଁନ୍ତି ।।


ରାଜଜେମା ସିଏ କେଉଁ ଗଡ଼ର

ଭାବନାକୁ ମୋର କରେ ମଡ଼ର

ଇଚ୍ଛା ହୁଏ ! 

ତଣ୍ଟିଟାକୁ ତା'ର ଦି'ନ୍ତି ଚିପି

ଜୀବନକୁ ମୋର କରାନ୍ତି ହେପି ;

ପୁଣି ଭାଳେ !

ବିଛା ମନ୍ତ୍ର ନ ଜାଣି, କାହିଁ

ସାପ ଲାଙ୍ଗୁଡରେ ହାତ ମୁଁ ଦେବି

ଅଯଥାରେ କୋଟ, କଚେରୀ ଘଣ୍ଟି ହେବି 

ଯାହା ଯେମିତି ହେଉଛି ହେଉ

ଯେନେ ତେନେ ପ୍ରକାରଣେ ଜୀବନ କଟିଯାଉ ।।


ତେଣୁ ଜୀବନରେ ଟିକେ ହରଷ ପାଇଁ

ତା' ରୂପ ରଙ୍ଗକୁ କରିକେଚର କରଇ ମୁହିଁ

ବ୍ୟଙ୍ଗରେ ବ୍ୟଙ୍ଗରେ ମନର ବ୍ୟଥାକୁ ଲେଖେ

ଆଉ ମଝିରେ ମଝିରେ 

ମୁଷ୍ଟିକା ସହ ଗୋଡ଼ର ସ୍ପର୍ଶ ଚାଖେ ।।


ଦିନେ ଲେଖିଥିଲି,

"କଳା ମଚମଚ ତୁମର ବେଣୀ,

ଓଠରେ ଲୁଚିଛି କେତେ କାହାଣୀ

ପୁଣି;

ଆଖିରେ ଚଷମା ଯୋଖି

ଡାହାଣୀ ପରିକା ଲାଗ ଗୋ ତୁମେ

ମୁହଁରେ ମେକପ୍ ମାଖି

ଆଗୋ ଅବଳା ନାରୀ, ତୁମ ସବଳା ରୂପ ଦେଖି

ସବଳା ପୁରୁଷ, ମୁଁ ନିରୀମାଖି

ଡାହାଣୀ ପରିକା ଲାଗ ଗୋ ତୁମେ

ମୁହଁରେ ମେକପ୍ ମାଖି ।।


ମୁଁ ଲେଖୁଥିବାର ଦେଖି,

ପତ୍ନୀ ମୋ ଆସିଲେ ମାଡ଼ି

ଲାଗୁଥିଲେ ସିଏ ଅଦିନିଆ ବରଷା ଝଡ଼ି

ଗର୍ଜି କହିଲେ, " କି କବିତା ଲେଖୁଛ, ଦେଖି ! ଦେଖି ! "

ମୁଁ ବି ଚାଲାକ, ବେକ୍_ଅପ୍ ଆଗରୁ ରଖିଥିଲି ଲେଖି ।।

ଶୁଣେଇ ଦେଲି, 

ହେ ମୋ; 

ଭାବ ଆଉ ଭାଷାର ଛବି

କେଉଁ ଅଳଙ୍କାରେ ସଜେଇବି, କି ଉପମା ଦେବି

ତୁମେ ଯେ ସରସ୍ୱତୀ, ବାଗ୍ମୀ, ସାକ୍ଷାତ ଦେବୀ

ତୁମ ଭାବ ବିନା ମୁଁ କବି ହେବି କେମନ୍ତି

ମୋ ଶ୍ରୀମତୀ ମନ୍ଦ ନୁହନ୍ତି, ମୋ ଶ୍ରୀମତୀ ମନ୍ଦ ନୁହନ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy