ହାତ ଧରାଧରି ହୋଇ ଚାଲ
ହାତ ଧରାଧରି ହୋଇ ଚାଲ
.
ମାମୁଁ ଘର ବୁଲି ଯାଇଥିଲି
ମାମୁଁ ମାଇଁଙ୍କର କଳି ଶୁଣି ଶୁଣି
ମନେ ମନେ ଖାଲି ହସୁଥିଲି l
ମାମୁଁ କହୁଥିଲେ ମୁଁ ବଡ଼
ମାଇଁ କହୁଥିଲେ ମୁଁ ବଡ଼
ଏ କଥାକୁ ନେଇ ଦୁହିଁଙ୍କ ଭିତରେ
ବହିଯାଉଥିଲା ଗୋଟିଏ ଝଡ଼ l
ଝଡ଼ କମିବାର ନାଆଁ ନାହିଁ
ନିଶକୁ ଫୁଲେଇ ମାମୁଁ ତ ଉଠିଲେ,
କହିଲେ ମୁଁ କିଛି ଶୁଣିବିନି l
ପଇସା ଆଣି ମୁଁ ଦିଏ ଗଣି
ସେଥିପାଇଁ ଆଜି ଏତେ ଫୁଟାଣି
ଘର ଚଳାଉଛ ବୋଲି ଡିଣ୍ଡିମ ପିଟୁଛ
ଯେମିତି ଘରର ସାମନ୍ତାଣୀ l
ପଇସା ନଥିଲେ କିପରି ଚଳାନ୍ତ
ପାରୁନକି ଏହା ତୁମେ ଜାଣି l
ଏଇ କଥା ଶୁଣି ମୋର ମାଇଁ
ରାଗ ତମ ତମ ହୋଇ କରି ସିଏ
ଅଣ୍ଟାରେ ଭିଡ଼ିଲେ ଲୁଗାକାନି l
ରାନ୍ଧି କରି ମୁହିଁ ଦିଏ ବାଢି
ଗେମ୍ଫା ମାରୁଥାଅ ନିଶ ମୋଡି
ପୁରାଉଛି ମୁହିଁ ତୁମ ପେଟ
ସେଥିପାଇଁ ଆଜି ଏତେ ନାଟ
ପେଟ ନପୁରିଲେ ଦେଖାଯିବ ନାହିଁ
ପଇସା ଆଣିବା ବାଟ ଟାକ l
ନୀରବ ହୋଇ ମୁଁ ଦେଖୁଥିଲି
ରାଗ ତମ ତମ ହୋଇ କରି ମାମୁଁ
କହିଲେ ଗଞ୍ଜଣା ସହିବିନି l
ମୋ ରୋଜଗାରେ ଖାଇବାକୁ ଦେଇ
ଏପରି କହୁଛ ଲାଜ ନାହିଁ l
ଘର ଛାଡି ମୁହିଁ ଚାଲିଯିବି
ଚାକରାଣୀଟିଏ ଘରେ ରଖିକରି
ଆରାମରେ ମୁହିଁ ଚଳିଯିବି l
ଯାଉନ ଯୁଆଡେ ଯାଉଛ ଯାଅ
ମାଇଁ ମୋ କହନ୍ତି ଛିଞ୍ଚାଡି ମୁଁହ l
ତୁମେ ବିନା ଘର ଚଳାଇ ପାରିବି l
ଏତେ କଥା ଆଉ ମୋତେ ନକୁହ l
ଝଡ଼ ଯେବେ ବାତ୍ୟା ରୂପ ନେଲା
ଭାବିଲି ଏଠାରେ କିଛି ନକହିଲେ
ଉଡିଯିବ ଏହି ଘର ଭଲା l
ମାମୁଁ ମାଇଁ ପାଶେ ମୁହିଁ ଗଲି
କାହିଁକି କରୁଛ ତୁମେ କଳି
କେହି ଏଠି ବଡ଼ କେହି ସାନ ନୁହେଁ
ଏ କଥାକୁ ତୁମେ ଯାଅ ଭୁଲି l
ଏ ଘର ଗାଡିର ଦୁଇ ଚକ
ମାମୁଁ ମାଇଁ ତୁମେ ଦୁହେଁ ଯାକ
ଚକ ଯଦି ସାନ ବଡ଼ ହେବ
ଗାଡି ପରା ଧଡ଼ପଡ଼ ହେବ l
ସମାନ ହୋଇଲେ ଚକ ଦୁଇ
ଶୁଣ ଆହେ ମୋର ମାମୁଁ ମାଇଁ
ସଂସାର ଗାଡି ଭଲରେ ଗଡିବ
ଦୁର୍ଘଟଣା ଜମା ହେବନାହିଁ l
ତେଣୁ କେହି କାହାରିକୁ
ଦୋଷ ଦିଅନାହିଁ l
ହାତ ଧରାଧରି ହୋଇ ଚାଲ
ରାଗ ରୁଷା ସବୁ ଭୁଲି କରି ଆମେ
ଖାଇବା ମିଶିକି ଗଣ୍ଡେ ପଖାଳ l

