ମୋ କଲମ
ମୋ କଲମ
ତୋ' ଶୂନ୍ୟତାକୁ ଭରିବା ନିଶାରେ
କବିଟିଏ ମୁଁ ହୋଇଛି
ହୃଦୟର ଯେତେ କୋହ ଆଉ ବ୍ୟଥା
କଲମକୁ କହି ଦେଉଛି ।
ତୋ'ପୂଣ୍ୟ ତୋୟା ନଦୀର ତୀର୍ଥରେ
ବୁଡ ପକାଉ ପକାଉ
ମୁଁ ଭୁଲି ଗଲିଣି ମୋ ଅଗଣା
କଲମଟି ଏବେ ସାଥୀ ହୋଇ ମୋର
କହିଦିଏ ମୋର ଠିକଣା ।
ଯେତେ ସୁଖ ଦୁଃଖ ଅନୁଭୂତି ଅଛି
କଲମ ସାଥିରେ ନିରୋଳାରେ ବସି ବାଣ୍ଟେ
ସବୁକଥା ମୋର ନୀରବରେ ଶୁଣି
ଲେଖେ ସାଧା କାଗଜର କାନ୍ଥେ ।
କଲମକୁ ଏବେ ସାଥି ମୁଁ କରିଛି
ତା'ସାଥେ ବାଣ୍ଟୁଛି ହୃଦୟ କୋହ
କବିତାରେ ତାକୁ ଲେଖି ସେ ଦେଉଛି
ତୁଟାଇ ଦେଇଛି ସଂସାର ମୋହ ।
ସୁଖରେ ହେଉ ବା ଦୁଃଖରେ ହେଉ
କଲମଟି ଏବେ ମୋ ଚିର ସାଥୀ
ସେହି କଲମରେ ଲେଖୁଛି କବିତା
ପାଇବା ଯାଏ ଏ ଜୀବନୁ ମୁକ୍ତି ।
କଲମରୁ କାଳୀ ସରିବା ଆଗରୁ
କହିଦିଏ ସବୁ ଅନ୍ତର କଥା
ଜୀବନରେ ସବୁ ହରେଇ ସାରିଛି
ଏବେତ କେବଳ ବ୍ୟଥା ।
