ମୋ କଲମ
ମୋ କଲମ
ତୁମେ ଯେତେ ବାଧା ଦେଲେ ବି
ଅଟକି ଯିବନି ମୋ କଲମ ,
ପର କଲମଠୁ ଝର କଲମ
ଫାଉଣ୍ଟେନ୍ ରୁ ଡଟ୍ ପେନ୍
ବିଭିନ୍ନ ଅବତାରରେ ସେ
ସବାର ହୋଇଛି ମୋ ହାତରେ ,
ଠିକ୍ ଈଶ୍ବରଙ୍କ ପରି
ଧରାବତରଣ ତାହାର ,
ପୋଛି ଦେବାକୁ ସମାଜର ଯେତେ ଯାହା
ବ୍ୟଭିଚାର ,
ଅନ୍ୟାୟ ଅନୀତିର କଳଙ୍କ !
ମୋ କଲମ କେବେ ବିରାମ ନେଇନାହିଁ
କେଉଁ ଇତିହାସର ଅନ୍ଧାରୀ ମୁଲକରୁ ମୁକୁଳି
ସେ ଛୁଇଁଚି ସବୁରି ହୃଦୟ ।
ମାନବ ସଭ୍ୟତା ସଂସ୍କୃତିର ଉଦ୍ଘୋଷ କରିବାକୁ ଯାଇ
ସେ ପାଲଟି ଯାଇଛି ତାଳପତ୍ର ପୃଷ୍ଠାରେ ଲେଖନୀ
ବିଗଳିତ ହୋଇଛି ମଧୁର କାବ୍ୟ ରାମାୟଣ ,ମହାଭାରତ
ଲେଖିଚି କେତେ ଚଉପଦୀ ଜଣାଣ ଭଜନ
ଆଉ ଓଡିଆର ପ୍ରାଣ ଭାଗବତ !
ଲେଖନୀ ଲିପିବଦ୍ଧ କରିଛି କେତେ
ମାଦଳାପାଞ୍ଜିର ପୃଷ୍ଠା ,
ଅମର କାବ୍ୟ ଗୀତଗୋବିନ୍ଦ ।
କଲମ ମୋର ଥକି ପଡିନି କେବେ
ଲେଖିବାକୁ ମୋ ଜାତିର ଇତିହାସ
ମଧୁ ବର୍ଣ୍ଣବୋଧ ,
ଲେଖିଛି କାଲମାର୍କସଙ୍କର ଶ୍ରେଣୀ ସଂଘର୍ଷ
ବିଶ୍ବସାହିତ୍ୟର ଅନବଦ୍ୟ ସୃଷ୍ଟି
'ମା ' ,'ଟମ୍ କକାଙ୍କ କୁଟୀର' ',ବନ୍ଧ୍ୟା ମାଟି '
କେବେ ଭାରତୀୟ ଜୀବନ ର ପଟ୍ଟଭୂମିରେ
'ଗୋଦାନ' , 'ଗୀତାଞ୍ଜଳି ' 'ଛ'ମାଣ ଆଠଗୁଣ୍ଠ ' !
ଏଇ କଲମ ମୋର ଲେଖିଚି
ଜାତୀୟ ସଙ୍ଗୀତ ,
କେତେ କମନୀୟ ପ୍ରାର୍ଥନା
"ଆହେ ଦୟାମୟ ବିଶ୍ବ ବିହାରୀ..." !
ମୋ କଲମ ଏକ ସତର୍କ ପ୍ରହରୀ
ତୁମ ଅନୀତି ଭ୍ରଷ୍ଟାଚାର କୁ ବିଲୁପ୍ତ କରିବା ପାଇଁ
କେବେ ସିଏ' ନିଆଁଖୁଣ୍ଟା'ର ଦର୍ପିତ ଉଲ୍ଲାସ
କେବେ 'ଦୁର୍ମୁଖ' ର ଦୁର୍ବାର ବିଳାସ !
ଭାଙ୍ଗିପାରିବନି ତା ଶକ୍ତ ମୂନ କୁ ,
ସେ ନିର୍ଝରଣୀଟିଏ
ପ୍ଲାବିତ କରେ ଚିନ୍ତା ଚଇତନ ହୃଦୟ ତନ୍ତ୍ରୀ କୁ !
କେତେ ବିପ୍ଲବର ତୂର୍ଯ୍ୟନାଦ ଅନୁରଣିତ ହୋଇଛି
ଭାଙ୍ଗିପଡିଛି କେତେ ଜାର ଶାସନ
ସ୍ବାଧୀନତା ଆନ୍ଦୋଳନର କେତେ ଓଜସ୍ବିନୀ ଗୀତ
ମୋ ମାଟିର ବୁକୁ ଛୁଇଁଚି ,
କେତେ ରାଜତନ୍ତ୍ର ର ନଗ୍ନ ବିଭୀଷିକା
ବର୍ଣ୍ଣନା କରିଛି ମୋ କଲମ ।
ଲେଖିଛି ମୁକ୍ତିର କବିତା
ଲିପିବଦ୍ଧ ମୋ ମାଟିର ସମ୍ବିଧାନ ।
ହେ ମୋର କଲମ
ତୁମରି ଛୁଆଁରେ ମୋ ଜୀବନ କବିତା
ତୁମରି ସ୍ପର୍ଶରେ ମୋ ସଂଧ୍ୟାର ସଂହିତା
ତୁମ କ୍ଷରିତ ଗୋଲାପୀ ସ୍ୟାହୀରେ
ମୋ ପ୍ରେମମୟ ଶବ୍ଦର ମୁକୁତା !
ତୁମେ ବାରମାସୀ ପକ୍ଷୀ
କେବେ ମୋ ଯାତନାର ସାକ୍ଷୀ
ମୋ ଉଜୁଡା କ୍ଷେତର ସକାଳ ସବିତା ।
ତୁମେ ମୋ ବୋଉର ସ୍ନେହ ସଜଳ
ଲୁହ ଭିଜା ଚିଠି ',
ମରମ ତଳର ନରମ ସନ୍ଦେଶ
ଅସୀ ଠାରୁ ମସୀର ସାମର୍ଥ୍ୟ
ଦେଖାଇଛ ଯୁଗେ ଯୁଗେ ...
ତୁମେ ଚିର ବନ୍ଦ୍ୟ ହେ ମୋର କଲମ
ତୁମେ ହିଁ ସତ୍ୟ ସନାତନ
ମୋ ଅଭୟ ବିଶ୍ବାସ !!