ମୁଁ ଆଉ ମୋର
ମୁଁ ଆଉ ମୋର
ମୁଁ ନୁହେଁ ଶରୀର ସେ ବି ନୁହେଁ ମୋର
ସେ ଘର ଅସ୍ଥାୟୀ କ୍ଷଣଭଙ୍ଗୁର
ମିଥ୍ୟା ସ୍ଵ ସ୍ୱାମୀ ସମ୍ବନ୍ଧ ଭାବନା
ହେତୁ ଭ୍ରମେ ହେଲି ନିବୀଡତର l
ଧନଦଉଲତ ପାର୍ଥିବ ସମ୍ପତ୍ତି
ଦାରା ସୁତ କନ୍ୟା ବନ୍ଧୁ ଆବର
ଛାଡ଼ି ଚାଲିଯିବି ଦିନେ ସବୁ ମୁହିଁ
ଶୂନ୍ୟ ହେବ ମୋର ଅଳକାପୁର l
ଯିଏ ମୋ ନିଜର ଅତି ଆପଣାର
ବିଶ୍ୱ ବ୍ରହ୍ମାଣ୍ଡର ଯେ ଅଧୀଶ୍ଵର
ଯାହାଙ୍କ ନିର୍ଦ୍ଦେଶେ ଲଭିଛି ଜନମ
ସ୍ମରଣରେ କିନ୍ତୁ ନାହାଁନ୍ତି ମୋର l
ଭୋଗ ବିଳାସରେ ମଜିରହି ସଦା
ମୋହମାୟାରେ ମୁଁ ଯାଇଛି ବୁଡ଼ି
ସଦବୁଦ୍ଧି ଉଦୟ ହେଉନାହିଁ ମୋର
ଦିନୁଁଦିନ ବେଳ ଯାଉଛି ଗଡ଼ି l
ଯେତେବେଳେ ମାତୃ ଗର୍ଭେ ରହିଥିଲି
କହିଥିଲେ ମୋତେ ପରମେଶ୍ୱର
ଭୁଲିବୁନି ଜମା ମାୟାଜାଲେ ପଡ଼ି
ଜପୁଥିବୁ ମୋତେ ତୁ ନିରନ୍ତର l
ଵିସ୍ମର ହୋଇଲା ଶ୍ରୀଆଜ୍ଞା ମୋହର
ଭୁଲିଗଲି କୁଆଁ କୁଆଁ କାନ୍ଦରେ
ସଂସାର ବନ୍ଧନେ କ୍ରମେ ମୋହବସେ
ପଡ଼ିଗଲି ଛାଏଁ ମାୟା ଜାଲରେ l
କରୁଛି ପ୍ରାର୍ଥନା ପ୍ରଭୁ ପରାତ୍ପର
ହୋଇ ନତମସ୍ତ ତଵ ଚରଣେ
ଏ ଭଵ ସାଗରୁ ରକ୍ଷାକର ମୋତେ
ସିଞ୍ଚି ଆଶାବାରି ବିଦଗ୍ଧ ପ୍ରାଣେ l
