ଜହ୍ନର ଠିକଣା
ଜହ୍ନର ଠିକଣା
ଜାଣିଛକି ବନ୍ଧୁ ଜହ୍ନର ଠିକଣା
ଜାଣିଥିଲେ ମୋତେ କହ
ଜହ୍ନ ରାଇଜକୁ ବୁଲିଯିବା ପାଇଁ
ମୋ ପ୍ରିୟା ଝରାଏ ଲୁହ l
ଲୁହ ମୁଁ ଦେଖିଲେ ମୋ ପ୍ରିୟା ଆଖିରେ
କେମିତି ସହିବି କହ
ପ୍ରାଣଠୁ ଅଧିକ ଭଲ ପାଏ ବୋଲି
ମୋ ଅନ୍ତରେ ଉଠୁଛି କୋହ l
ତା ପ୍ରେମ ଡୋରିରେ ବନ୍ଧା ମୋ ସର୍ବାଙ୍ଗ
ଶରୀର ସାଥୀରେ ମନ
ଅଳିକଲେ ପ୍ରିୟା ଦିଏ ଆଣି ତାକୁ
ନଥିଲେ ବି ପାଖେ ଧନ l
ଗେଲବସରରେ ବଢିଥିଲା ପ୍ରିୟା
ଥିଲାବେଳେ ବାପ ଘରେ
ମୋ ହାତ ଧରିବା ଦିନଠାରୁ ତାର
ଇଛା ମୁଁ ପୂରଣ କରେ l
ଅତି ଅଭିମାନୀ ଭାରି ଜିଦଖୋର
ବସିଛି ମନକୁ ମାରି
ଚନ୍ଦ୍ର ରାଇଜରେ ବୁ
ଲିବ ମୋ ପ୍ରିୟା
ସ୍ବପ୍ନ ତାର ଅସୁମାରୀ l
ମୋ ପ୍ରିୟା ବଦନ ଦେଖି ଲୁଚେ ଜହ୍ନ
ଲାଜେ ଯାଏ ଅପସରି
ତା ପାଖକୁ ନେବି କେମିତି ପ୍ରିୟାକୁ
ମୋ ମୁଣ୍ଡ ଯାଉଛି ଘୁରି l
ହାତେ ନାହିଁ ଧନ ଜାଣିନି ଠିକଣା
ଦେଖିନି ମୁଲକ ତାର
କେମିତି ନେବି ମୁଁ ପ୍ରିୟାକୁ ବୁଲେଇ
ଘୁରିଯାଏ ମଥା ମୋର l
ଜହ୍ନ ରାଇଜରେ ପ୍ରେମର ମନ୍ଦିର
ତୋଳିବାକୁ ଇଛା ତାର
ସ୍ବପ୍ନବିଳାସିନୀ ପ୍ରେମପକ୍ଷୀ ଚାହେଁ
ଘୁରିବାକୁ ନିରନ୍ତର l
ଜହ୍ନର ଠିକଣା ଅଛିକି କା ପାଖେ
ଥିଲେ ବନ୍ଧୁ ମୋତେ ଦିଅ
କେମିତି ନେବି ମୁଁ ପ୍ରିୟାକୁ ବୁଲେଇ
ବୁଦ୍ଧି ବାଟ ମୋତେ ଦିଅ l