ପ୍ରଭାତ ବନ୍ଦନା
ପ୍ରଭାତ ବନ୍ଦନା
ପ୍ରଭାତୁ ଉଠିଣ ପବିତ୍ର ବେଳାରେ
ଜ୍ୟୋତିର୍ମୟ ପରଂବ୍ରହ୍ମ
କରୁଛି ବନ୍ଦନା ତଵ ସ୍ତୁତି ଗାନ
ମୁଁ ଅଧମ ଅକିଞ୍ଚନ l
ପରମ ଐଶ୍ୱର୍ଯ୍ୟ ହେ ମହାମହିମ
ସର୍ବ ଶ୍ରେଷ୍ଠ ଶକ୍ତିମାନ
ଦେଇ ଶୁଭ ବୁଦ୍ଧି ସତ ମାର୍ଗ ମୋତେ
କର ପ୍ରଭୁ ପ୍ରଦର୍ଶନ l
ଜଗତ କରତା ସୁଖ ଶାନ୍ତି ଦାତା
ତୁମେ ମୋର ଜ୍ଞାନଦାତା
ପରମ ଦୟାଳୁ ଶ୍ରେଷ୍ଠ ନ୍ୟାୟକାରୀ
ତୁମେ ପ୍ରଭୁ ଦଣ୍ଡ ଦାତା l
ସୂର୍ୟୋଦୟର ଏ ଶୁଭ ମୁହୂର୍ତ୍ତରେ
କର ମୋତେ ଶୁଦ୍ଧପୂତ
ଦେଵଗଣଙ୍କର ଉତ୍ତମ ବୁଦ୍ଧିରେ
କର ମୋତେ ବିଭୂଷିତ l
ଶ୍ରେଷ୍ଠ ପୁରୁଷଙ୍କ ସତସଙ୍ଗ ଦ୍ୱାରା
କର ମୋତେ ବୀର ଶ୍ରେଷ୍ଠ
ମୋ ମନ ବଚନ କର୍ମକୁ ନିର୍ମଳ
କରି ଗଢ଼ ସର୍ବୋତ୍କୃଷ୍ଟ l
ତୁମେ ମୋର ଆଶା ତୁମେ ମୋ ଭରସା
ତୁମେ ମୋ ପରମ ପିତା
ବିଶ୍ୱ ବ୍ରହ୍ମାଣ୍ଡର ତୁମେ ଅଧୀଶ୍ଵର
ତୁମେ ମୋର ମୋକ୍ଷ ଦାତା l
ତୁମେ ବନ୍ଦନୀୟ ସେବନୀୟ ପ୍ରଭୁ
ମୋ ପ୍ରତି ସଦୟ ହୁଅ
ସକଳ ଐଶ୍ୱର୍ଯ୍ୟ ସୁଖ ଶାନ୍ତି ଦେଇ
ମୋକ୍ଷ ପଥେ ନେଇଯାଅ l