ପ୍ରିୟାର ପଣତ
ପ୍ରିୟାର ପଣତ
ମୋ ପ୍ରିୟା ପଣତ ଆଜାନୁ ଲମ୍ବିତ
ବାଜିଗଲେ ଅଙ୍ଗେ ଥରେ
ହୃଦୟେ କମ୍ପନ ପ୍ରେମେ ଶିହରଣ
ଖେଳିଯାଏ ଶରୀରରେ l
କଳା ବାଦଲରେ ଯେସନ ଚପଳା
ଘନ ଘନ ଚମକାଏ
ମୋ ହୃଦୟ ଆକାଶେ ପ୍ରେମର ସ୍ଫୁଲିଙ୍ଗ
ସର୍ବାଙ୍ଗ ଥରାଇ ଦିଏ l
ପୁଷ୍ପ ଶିରେ ଯଥା ହଲୁଥାଏ ଭୃଙ୍ଗ
ମକରନ୍ଦ ଆସ୍ୱାଦନେ
ଚହଲା ମନ ମୋ ଚହଲୁ ଥାଏଟି
ତାର ପ୍ରେମ ଉପବନେ l
ମୋ ପ୍ରିୟା ପଣତେ କୋଣାର୍କର ଚକ
ଠିକିରି କି ପାନ ପତର
ଧାଡ଼ି ଧାଡ଼ି କୁମ୍ଭ ତା ସଙ୍ଗେ ଚିଡ଼ିଆ
ମନ ମୋହି ନିଏ ମୋର l
ହେଲେ ଆବର୍ତ୍ତିତ ଗଭାରେ ଗଜରା
ଯେପରି ବଢ଼ାଏ ଶୋଭା
ନାନା କାରୁକାର୍ଯ୍ୟ ପୂର୍ଣ୍ଣ ସେ ଆଞ୍ଚଳ
ଦିଶେ ଭାରି ମନ ଲୋଭା l
ପାଟ ପିତାମ୍ବରୀ ଶାଢ଼ୀକୁ ଅଞ୍ଚଳ
ଇସତ ଗୋଲାପୀ ବର୍ଣ୍ଣ
ପଡ଼ିଗଲେ ଦୃଶ୍ୟ କଦବା ଶାଢ଼ୀରେ
ପିନ୍ଧିବାକୁ ହେବ ମନ l
ପିନ୍ଧିଲେ ସେ ଶାଢ଼ୀ ପ୍ରିୟା ସଙ୍ଗେ ମୋର
ହେବନାହିଁ କେହି ସରି
ମୋ ପ୍ରିୟା ଯେମିତି ତା ଶାଢ଼ୀ ସେମିତି
ସେତ ସ୍ଵର୍ଗ ଅପସରି l