ମୃତ୍ୟୁ ତୁମେ ଯେବେ ଆସ
ମୃତ୍ୟୁ ତୁମେ ଯେବେ ଆସ
ମୃତ୍ୟୁ ଯେବେ ତୁମେ ଆସ,
ଏମିତି କାହିଁକି ଆସ?
ନଦେଇ ଇସାରା ସଂକେତ ଆଗରୁ
ହିଂସ୍ର ବ୍ୟାଘ୍ରପରି ଲୁଚିଛପି ତୁମେ
କାହିଁକି ଯେ ମାଡ଼ିବସ ?
କା ସ୍ବପ୍ନ ଅଧୁରା କେ ବିୟୋଗ ବିଧୁରା
କା କାର୍ଯ୍ୟ ଥାଏ ଅଧାପନ୍ତରା
କାର ମଧୁମାସ ଫଗୁଣର ରାସ
କିଏ ଛଟପଟ କା ମନ ବିରସ l
ଏମିତି କାହିଁକି ହେଲ ନିଷ୍ଠୁର
ନାହିଁ ଦୟା ମାୟା କିଛି ତୁମର
କାହାକୁ ଉଠାଅ ଅର୍ଦ୍ଧରାତ୍ରେ ତୁମେ
କାହାକୁ ପାହାନ୍ତା ପହର l
ହେଉ କୋଟିପତି କି ଐଶ୍ୱର୍ଯ୍ୟଶାଳୀ
ଚଳୁଥାଉ ଅବା କେ ହାତପାତି
କିଏ ନେତାମନ୍ତ୍ରୀ କିଏ ପ୍ରଶାସକ
ସଭିଙ୍କ ପାଇଁକି ଗୋଟେ ନିକିତି l
ତୁମ ନାମ ଶୁଣି ସର୍ବେ ଥରହର
ହେଲେ ନାହିଁ ଜମା ଭୃକ୍ଷେପ ମୋର
କାହିଁକି ଜାଣିଛ ହେ ମୃତ୍ୟୁ ପ୍ରବର
ତୁମେ ପରା ମୋର ଅତି ନିଜର l
ମୁଁ ଯେ ଅଙ୍ଗୀକାର ଦୁର୍ଦ୍ଧର୍ଷବୀର
ଆତଙ୍କ ଶିବିରେ ନିବାସ ମୋର
ତୁମ ଠାରୁ ବଳି ମୁଁ ଯେ ଭୟଙ୍କର
ସେଥିପାଇଁ ନାହିଁ ଭୃକ୍ଷେପ ମୋର l