ମଙ୍ଗଳମୟ ଜଗତନାଥ
ମଙ୍ଗଳମୟ ଜଗତନାଥ
କୋପ କରିବନି ଜଗତ କରତା
କଣେଇଁ ଚାହିଁବ ନାହିଁ
ମୁଁ ଏକ ଅଧମ ପାଷାଣ୍ଡ ବର୍ବର
ଧର୍ମ କର୍ମ ନଜାଣଇ I
କରେନାହିଁ ତୁମ ପୂଜା ଅରଚନା
ଗାଏନି ତୁମ ଭଜନ
ସମସ୍ତଙ୍କ ପରି କେବେ ହେଲେ ଦିନେ
ଲୋଡିନି ତୁମ ଦର୍ଶନ I
ନିର୍ମାଲ୍ୟ କଣିକା ପାଟିରେ ଦେଇନି
ପାଇନି ତୁଳସୀ ଦିନେ
ନିଜ ହାତେ ନିଜେ ଚଉଦପାଆ ମୁଁ
ତୁମକୁ ରଖିନି ମନେ I
ତୁମେ ଦେଇଥିବା ଧନ କିଛି ବାଣ୍ଟି
କୁହେ ବଡ ଦାନୀ ବୋଲି
ସବୁ ଏୈଶ୍ୱର୍ଯ୍ୟର ଭଣ୍ଡାର ଯେ ତୁମେ
ଏକଥା ଯାଇଛି ଭୁଲି I
ନିଜକୁ କହୁଛି ନାସ୍ତିକ ବୋଲି ମୁଁ
ତୁମକୁ ପଥର କାଠ
ଭୁଲି ଯାଇଛି ମୁଁ ସଂସାର ତୁମର
ତୁମେ ଏକମାତ୍ର ଇଷ୍ଟ I
ତଥାପି ତୁମର କରୁଣା ମୋ ପ୍ରତି
ହୋଇନାହିଁ କେବେ ଉଣା
ମୋ ପରି ପାପୀକୁ କିଆଁ ଶ୍ରଦ୍ଧାକର
ସେକଥା ତୁମକୁ ଜଣା I
