ମନେପଡ଼ ତୁମେ(୭)
ମନେପଡ଼ ତୁମେ(୭)
ସେପାଖେ ଅନେକ ଯାତନା ଭରିଛି
ଏପାଖେ ଝରୁଛି ଲୁହ,
ମନ ହଜିଯାଏ ଅଜଣା ବାଟରେ
କାହାକୁ କହିବି କୁହ?
ଭଙ୍ଗା ହୃଦୟକୁ କିଏସେ ଯୋଡିବ
କରୁଛି କେତେଯେ ଅଳି,
ଆଶା ମରିଯାଏ ମରୁଭୂମି ପରି
ନିଇତି ନିଇତି ଜଳି ।
ଏ ସାରା ଭୁବନ ଅନ୍ଧକାରମୟ
ରାତିର ଆଲୋକ କାହିଁ,
ଅସହାୟ ଲାଗେ ପ୍ରତିଟି ମୁହୁର୍ତ୍ତ
ଅପେକ୍ଷାରେ ଚାହିଁ ଚାହିଁ ।
ଏକାଏକା ଭାରି ବିସମ ଲାଗୁଛି
ଦେହରେ ସବୁଠି ଫାଟ,
ସରୁନି ସପନ ଆହୁରି ଆଗକୁ
କେମିତି ଚାଲିବି ବାଟ।
ଦିଗହରା ହୁଏ ଏଣେତେଣେ ଉଡ଼ି
ସାହାରା ପାଉନି ହାତ,
ଦୁଃଖରେ ଜର୍ଜିତ ଅଫେରା ଅତୀତ
ଅଫୁଟା ଯେମିତି ଭାତ।
ଭାବନାର ଆଉ ଚିହ୍ନବର୍ଣ୍ଣ ନାହିଁ
କେବେଠୁ ଯାଇଛି ମରି,
ଖାଲିଖାଲି କେତେ ଯାତନା ସହିବି
ଲାଗୁଛି ବିବଷ ଭାରି ।
ମିଳନର ଭାଷା ବୁଝିବା ଆଗରୁ
ପାରିଲନି କଥା ରଖି,
ବଞ୍ଚିବା ମରିବା ପ୍ରାୟତଃ ସମାନ
ଯାଉଛି ଅଦିନେ ସୁଖି।
ମଉନ ସମୟ କି ଗୁଣ ଗାଇବ
ବୁଝେଇ ପାରୁନି ମୋତେ,
ବିପଦ ନଈର ଅକାତ ପାଣିରେ
ଆହୁଲା ମାରିବି କେତେ।
ପ୍ରଣୟର ଗୀତ ଅଧୁରା ପଡିଛି
ଶୁଣିବ କିଏତା ରାଗ,
ଭଷାମେଘ ପରି ଭାସି ମୁଁ ଚାଲିଛି
ଠିକଣା ପାଉନି ଦିଗ।
ଡାକିଲେ ଶୁଣିବ ପାଖକୁ ଆସିବ
ଅଦିନେ କିଏସେ ଧାଇଁ,
ନିଦଭରା ସ୍ମୃତି ସତେକି ଯେମିତି
ନିଦରେ ଯାଇଛି ଶୋଇ।

