ମମତାର ଡୋର
ମମତାର ଡୋର
ରାକ୍ଷୀ ।
କୃଷ୍ଣା ଥରେ ନିଜ ଶାଢ଼ୀ ପଣତକୁ ଚିରି ବାନ୍ଧିଥିଲେ କୃଷ୍ଣ ଙ୍କ ହାତେ,
ସେଇ ପଣତକୁ ରାକ୍ଷୀ ଭାଵି କୃଷ୍ଣ ସାହା ହେଲେ କୃଷ୍ଣା ଜୀବନ ପଥେ ।
ନାହିଁସେ ଦ୍ୱାପର ନାହାନ୍ତି ବି କୃଷ୍ଣ ହେଲେ ସେହି କଥା ଏବେ ବି ଅଛି,
ସେଇ ସ୍ମୃତି ନେଇ ଭଉଣୀ ଟି ଭାଇ ହାତରେ ଆଜି ବି ରାକ୍ଷୀ ବାନ୍ଧୁଛି ।
ରାକ୍ଷୀ ନୁହେଁ ସେତ ରକ୍ଷାକବଚ ଭାଇର ହାତରେ ଭଉଣୀ ପାଇଁ,
ଥିଲେ ଯେତେ ଦୂରେ ମନତାକୁଝୁରେ ସ୍ନେହଶରଧାର ପ୍ରତୀକ ସେହି ।
କିଏବା କହିବ ସୁତାଖିଏ ତାକୁ ମମତା ର ସେତ ଅମୂଲ୍ୟ ଧନ,
ସେଇ ସୁତାଖିଏ ବାନ୍ଧି ରଖିଥାଏ ଭାଇଭଉଣୀ ର ଦୁଇଟି ମନ ।
ରାକ୍ଷୀ ଟିଏ ଯେବେ ବାନ୍ଧଇଭଉଣୀ ଦୁର ଅତୀତର ଅଳିନ୍ଦ ଖୋଲି,
ମଧୁଝରା କେତେ ମିଠା ମିଠା ସ୍ମୃତି ଆସଇ ମନରେ ପାଖୁଡା ମେଲି ।
ଗୋଟିଏ କୋଳି କୁ ଦୁଇ ଭାଗ ପାଇଁ କେତେ କଳି ସତେ ଲାଗଇ ଘରେ,
ଏବେବି ସେ କଥା ମନେ ପଡ଼ିଗଲେ ମନରେ ସତେକି ଆନନ୍ଦ ଭରେ ।
ଭାରିଭଲ ଲାଗେ ଛୋଟଛୁଆବେଳେ ରାକ୍ଷୀ ବାନ୍ଧି ତାଠୁ ପାଉଣା ନେବା,
ପାଉଣା ଟିକିଏ ଊଣା ହୋଇଗଲେ ବାନ୍ଧି ଵିନି ବୋଲି ଧମକ ଦେବା ।
ଭାଇଭଉଣୀ ରେ ସେଇ ମିଠା କଳି ଦୂରେଥିଲେ ସୁଧା ଝୁରଇ ମନ
ରାକ୍ଷୀ ପୂର୍ଣ୍ଣୀମା ରେ ସେଇ ମିଠା ସ୍ମୃତି ଆଣି ଦେଇଥାଏ ରକ୍ଷା ବନ୍ଧନ ।
ଭାଇଭଉଣୀ ର ସମ୍ପର୍କ ନିଆରା ମମତାର ସିଏ ଅଭେଦ୍ୟ ଦୁର୍ଗ,
ରେଶମୀ ଡୋରି ର ରାକ୍ଷୀ ସତେ ଅବା ସେଇ ଦୁର୍ଗ ପାଇଁ କଢାଏ ମାର୍ଗ ।
କାହାପାଇଁ ରାକ୍ଷୀ ସମ୍ପର୍କର ସେତୁ କାହାପାଇଁ ପୁଣି ମମତା ଝର,
ଭାଇଭଉଣୀ ର ସମ୍ପର୍କ କୁ ଏହା ନିବିଡ଼ ରୁ କରେ ନିବିଡ଼ ତର ।
