ମୁକ୍ତି
ମୁକ୍ତି
କିଏବା ଦେଖିଛି ଆଗାମୀ ଭବିଷ୍ୟ
ମହୀ କ୍ଷଣୁ କ୍ଷଣେ ଆନ,
ଆଜିର ଜୀବନ କାଲିକି ତ ନାହିଁ
ଯାହା ବିଧିର ବିଧାନ ।
ଅକାଳରେ ଝଡି ପଡେ କେତେ ଫୁଲ
ରୋଗବ୍ୟାଧି ସହଚର,
କାହାକୁ କହିବା ଅବଶ୍ୟ ଭୋଗିବା
ଏଇ ଲୀଳା ସଂସାରର ।
ବନ୍ଧୁ ପ୍ରିୟଜନ ସମସ୍ତେ ଝୁରିବେ
ଝୁରିବେ ସେ ଦୁଇଦିନ,
ଯେତେ ଝୁରିହେଲେ ଜୀବନ କି ଫେରେ
ମୃଦ୍ୟୁ ସତ୍ୟ ଚିରନ୍ତନ।
ସ୍ମୃତି ଆଢ଼ୁଆଳେ ରହିଯିବ ତୁମେ
ଯଶ ଅପଯଶ ବହି,
ତଥାପି ଝୁରିବେ ଆତ୍ମୀୟ ସ୍ବଜନ
ସେ କର୍ମ ବାହୁନି ହୋଇ ।
ତୋର ସେହି କଥା ମନେ ପଡେ ସଦା
ଆପଣା ହୃଦ ମନ୍ଦିରେ,
ସମ୍ପର୍କର ଡୋର ପିତା ପୁତ୍ରୀ ସମ
ଆସେ ଆଜିବି ମନରେ ।
ଅଦିନରେ ତମେ ତାରାଫୁଲ ହୋଇ
ଆକାଶେ ରହିଲ ଯାଇ,
କିଏ ଜାଣିଥିଲା ଅଳ୍ପ ଦିନ ଗଳ୍ପ
ନାୟିକା ତୁ ଯିବୁ ହୋଇ ।
ଚିର ନିଦ୍ରାରେ ମୃତ୍ୟୁ ଶଯ୍ୟାରେ
ଭୁଲି ସମ୍ପର୍କର ମାୟା,
ଛାଡିଗଲ ଝିଅ ଅମଡ଼ା ବାଟରେ
ଖୋଜୁଛି ଆଜି ଦୁନିଆଁ ।
ଯେଉଁଠାରେ ଥାଅ ଶାନ୍ତିରେ ରୁହ
ସ୍ବର୍ଗ ପଥର ଯାତ୍ରୀ,
ଏତିକି ବିନତୀ ଘେନ ଶ୍ରଦ୍ଧାଞ୍ଜଳି
ଗାଏ ତୁମ ଜୈତ୍ରଗୀତି ।
ଅମର ଆତ୍ମା ଲଭୁ ବିଭୁ କୃପା
ହେଉ ତୁମ ସଦଗତି,
ଜଗନ୍ନାଥ ପାଶେ ଏତିକି ପ୍ରାର୍ଥନା
ହେଉ ବଇକୁଣ୍ଠ ପ୍ରାପ୍ତି ।