ସ୍ମୃତି ଅମାନତ
ସ୍ମୃତି ଅମାନତ
ସ୍ମୃତି ମରିଯାଏ ନିବୃତ ହୃଦୟେ
ଝାପସା ଆଖିକୁ ଦିଶୁନି ଆଉ,
ଶସ୍ତା ଏଠି ପ୍ରେମ ହିନସ୍ତା ଗୋଲାପ
କିଏ ବା ତଉଲେ ତା' ପ୍ରେମ ଆଉ !
ସମ୍ପର୍କ ତ ଏଠି ମିଛ ସହ କା'ର
ସ୍ବାର୍ଥରେ ବନ୍ଧା ବାହାନା ଟିଏ
କିଏ ମରିଗଲେ କିଏ ହଜିଗଲେ
ଯାଉଛି କାହାର ପଚାରେ କିଏ ?
ସେଦିନର ସ୍ମୃତି ଆଜି ତ ଅତୀତ
ହୃଦୟରେ କେତେ ବୋହିବ ପୀଡ଼ା,
ଯଦି କେ ପଚାରେ ମୋ କଥା କେବେ
କହିବ ଜାଣେନା, ସେ ଭାରି ଅଲୋଡ଼ା ।
ଅତୀତ ଏମିତି ଭଙ୍ଗା ଆଇନା
ଦିଶେନା ମୁହଁ କି ବୁଝେନା କୋହ
ତଥାପି କାହିଁକି ତୁମପାଇଁ ମୋର
ଝରୁଅଛି ଲହୁ ଝରୁଛି ଲୁହ ।
>
ଅଛି ସେ କଲେଜ ଅଛି ସେ ଡାଇରୀ
ଅଛ ତମେ ପ୍ରିୟା ହୃଦୟେ ମୋର,
ଶୁଖିଲା ଗୋଲାପ ଶୁଙ୍ଘି ଦେଖ ଥରେ
ଖୋଜୁଛି ତୁମକୁ ସ୍ପର୍ଶ ତୁମର ।
ମନେ ପକା ସଖି ସେଇ ସ୍ମୃତିବୋଳା
ପହିଲି ଦେଖାର ଅକୁହା କାହାଣୀ
କହିତ ନଥିଲି ଭାବୁଥିଲି ସିନା
ଶୋଇ ମୁଁ ନ ଥିଲି ସାରା ରଜନୀ ।
ତମେ ବି ତ ସଖି ସ୍ବପ୍ନ ବିଭୋର
ସେଇ ସ୍ମୃତିଭରା ଚାହାଣୀ ନେଇ,
ପହିଲି ବର୍ଷାର ମାଟି ଗନ୍ଧରେ
ଚୁମି ଥିଲ ଓଠ ମୋ ହାତ ନେଇ ।
ସବୁ ସରିଗଲା ପ୍ରୀତି ମରିଗଲା
ତମେ ହଜିଗଲ ଭିଡ଼ ଭିତରେ,
ସ୍ମୃତି ଜମାନତ ପ୍ରେମ ଅମାନତ
ଆଜିବି ବଞ୍ଚିଛି ମୋ' ହୃଦୟରେ ।