ମୁକ୍ତି ଦିଅ
ମୁକ୍ତି ଦିଅ
ମିଛର ବାହାନା କଥାର ଛଳନା
ତମ କରିପାର ବୋଲି ,
ବିଶ୍ବାସର ବିଷ ଛନ୍ଦ କପଟରେ
ହାରିହାରି ଜିତିଗଲି ।
ମନ ଦର୍ପଣରେ ତମ ଛବି ଦେଖେ
ସ୍ମୃତିମୟ ଅତୀତର,
ମନର ମାନସୀ ମୁକ୍ତ ବିହଙ୍ଗମ
ମୁଁ ଯେ ଭିନ୍ନ ଯାଯାବର ।
ସମୟ କହିବ ସତ ମିଛ କଥା
ନଥିବି ମୁଁ ତୁମଠାରେ,
ସ୍ମୃତି ପରଶର ଝାପସା ଚିତ୍ର
ଗାଉଥିବ ଶୋକ ଭରେ।
ହଜିଲା ଅତୀତ ଫେରି କି ଆସିବ
ଗଲାଣି ତ କଥା ଗଲା,
ଦୁଃଖ ନଈରେ ମୋ' ଫୁଟାଡଙ୍ଗାର
ମାରୁଥିବି ମୁଁ ଆହୁଲା ।
ସତମିଛର କି ହିସାବ ଥିବ ଯେ
ଦୋଷ ଦେବି ମୁଁ କାହାକୁ,
ଆପଣା ଢଙ୍ଗରେ ବଞ୍ଚିବାକୁ ହେବ
ଭଲପାଇ ଆପଣାକୁ ।
ମୁକ୍ତିକାମୀ ମୁଁ ଯେ ମୁକ୍ତ ମଣିଷ
ଲୋଡା ନାହିଁ ଗୋ' ବନ୍ଧନ,
ଜୀବନେ ମରଣେ ଦରଜର ସ୍ମୃତି
ବିଚଳିତ ତନୁ ମନ ।
ମୁକ୍ତି ଦିଅ ମୁକ୍ତି ଦିଅ ମୋତେ
ମୁକ୍ତି ଲୋଡା ବାକି ଜୀବନରେ,
ବଞ୍ଚିବି ମୁଁ ବଳକା ଆୟୁଷ
ମୋ' କବିତା ରାଗିଣୀର ସୁରେ ।।
