ପ୍ରାଣ ହେଉ ଉଜ୍ଜୀବିତ
ପ୍ରାଣ ହେଉ ଉଜ୍ଜୀବିତ
ବାଉନ ବଜାର ତେପନ ଗଳିର
ଐତିହ୍ଯ ନଗର କଟକ
ଉଜ୍ଜ୍ବଳ ସଂସ୍କୃତି ହୀରକ ପ୍ରଭାରେ
ମଣ୍ଡିତ ତା ମାଟି ପୁସ୍ତକ ।
ଅଛି ମୁକସାକ୍ଷୀ ଭଗ୍ନ ବାରବାଟୀ
ଗାଥା ପୂର୍ବ କୀର୍ତ୍ତି ସ୍ମରି
ଯୁଦ୍ଧ ଝଡଝଞ୍ଜା ଉତ୍ଥାନ ପତନ
ସ୍ମୃତି କେ ପାରିବ ଭୁଲି ।
ମହାନଦୀ ପଠା ଗୋଟି ଗୋଟି ପୃଷ୍ଠା
ଗଡଗଡି ନଦୀଘାଟ
ଉଜ୍ଜ୍ବଳ ଆମର ଅତୀତ ଗୌରବ
ବଖାଣଇ ଶତମୁଖ ।
ବହିତ ଗଲାଣି ସମୟର ସ୍ରୋତ
କେତେ ମହାନଦୀ ପାଣି
ଉତ୍କଳ ସଂସ୍କୃତି ଧର୍ମ ପରମ୍ପରା
କଡ ଲେଉଟାଏ ପୁଣି ।
ରୋମନ୍ଥେ ପ୍ରାଣକୁ ତଅପୋଇ ସ୍ମୃତି
ବୋଇତର ବନ୍ଦାପନ
ଗୁଞ୍ଜି ଉଠେ ସ୍ମୃତି ଉତ୍କଳୀୟ କଣ୍ଠ
ଆକାମାବୈ ଉଚ୍ଚାରଣ ।
କାର୍ତ୍ତିକ ପୂର୍ଣ୍ଣମୀ ପ୍ରାତଃ ପ୍ରଭାତରେ
ପଟୁଆ ଡଙ୍ଗା ଭସାଇ
ସ୍ବର୍ଣିମ ଅଧ୍ଯାୟ ଅତୀତର ସ୍ମୃତି
ଉଜାଗର ଥାଏ ହୋଇ ।
ଇଣ୍ଡୋନେସିଆର ସୁମାତ୍ରା ବୋର୍ଣ୍ଣିଓ
ଯାଭା ଆଉ ବାଲିଦ୍ବୀପ
ଯାଉଥିଲେ ଆମ ଉତ୍କଳ ବଣିକ
କରିବାକୁ ନୌବାଣିଜ୍ୟ ।
ଲୋପ ପାଇଅଛି ସମୃଦ୍ଧ ଐତିହ୍ଯ
ଭାବିଲେ ଲାଗଇ ଦୁଃଖ
ହେଉ ଗବେଷଣା ଚିନ୍ତନ ମନନ
ସଂସ୍କୃତି ରହୁ ସୁରକ୍ଷ ।
ଆୟୋଜିତ ହୁଏ ଯାକଜମକରେ
କଟକର ବାଲିଯାତ୍ରା
ଆଠଦିନ ବ୍ଯାପୀ ଚାଲଇ ଉତ୍ସବ
ସମାଗମ ଭବ୍ଯ ମେଳା ।
ହୁଏ ବିକାକିଣା ଆସବାବପତ୍ର
ଘରୋଇ ଉପକରଣ
ମିଳେ ହସ୍ତଶିଳ୍ପ ପ୍ରସିଦ୍ଧ ସୁଆଦ
ଠୁଙ୍କାପୁରି ଆଳୁଦମ ।
ବଞ୍ଚିଲେ ସଂସ୍କୃତି ସମାଜ ଜୀବନ
ଜାତି ହୁଏ ସମୁନ୍ନତ
ଜୟ ଜଗନ୍ନାଥ ଶୁଭୁ ଶଙ୍ଖନାଦ
ପ୍ରାଣ ହେଉ ଉଜ୍ଜୀବିତ ।
