ଜଗତର ନାଥ
ଜଗତର ନାଥ
ତୁଳସୀ ଚନ୍ଦନ ବାସୁଥାଉ
କସ୍ତୁରୀ ତିଳକ ଦୟଣା ସାଥିରେ
ଭାଇ ଭଉଣୀଙ୍କ ସାଥେ ରତ୍ନବେଦୀରେ
ଚକାଆଖି ସଙ୍ଗେ ଆଖି ମିଶିଗଲେ
ପ୍ରେମ ଭକ୍ତି ଲୁହ ଗାଡିଯାଉ
କିଛି ମାଗୁନାହିଁ ମହାବାହୁ
ସବୁତ ଦେଇଛ ହେ ନୀଳାଚଳିଆ ଛଳିଆ
ନଦେଇଛ ବୋଲି କେମିତି କହିବି
ନିର୍ମାଲ୍ୟ କଣିକା ତୁଣ୍ଡେ ଥାଉ
କାହାକୁ ଦେଇଛ ଭାଗ୍ୟ ବହି
କାହାର ଲେଖିଛ କର୍ମ ଏହି
କାହାକୁ କରିଛ କଳାକାର
ତୁମରି ଭକ୍ତିର ଭାବ ଦାଉ ଦାଉ
ବନ୍ଧୁ ମହାନ୍ତିଙ୍କୁ ଦେଲ ଅନ୍ନ ଥାଳି
ଦାସିଆ ବାଉରୀ ନଡ଼ିଆ ପାଳି
ଜୟଦେବଙ୍କ ଲେଖି ଅଧା ଅଧୁରା ପଦ୍ୟାବଳୀ
ଗୀତଗୋବିନ୍ଦ ଶୁଣୁଛ ବନମାଳୀ
ସାଲବେଗ ପାଇଁ ରଥ ଅଟକାଇ
ଲୀଳା ଖେଳା କେତେ କର ସାଇଁ
କଳା ଶ୍ରୀମୁଖ ଦର୍ଶନେ ଭାବେ ମନେ
ବସିଥିବା ବେଳେ ଦିବସ କାଳେ
ଶେଷ ସମୟ ମୋ ପାହିଯାଉ
ନଦେଲ ବୋଲି ମୁଁ କହିବି କି ପ୍ରଭୁ
ଚନ୍ଦନ ଅର୍ଗଳି ସେପାଖୁ ଆଖି ପାଉ ପାଉ
ଦେଖେ ତ୍ରିଭଙ୍ଗୀ ଠାଣି ବାଙ୍କ ଚାହାଣୀ ମହାବାହୁ
କେତେ କେତେ ଲୀଳା ବର୍ଣ୍ଣିବାକୁ ବାଳା
ଗରୁଡ଼ ଖମ୍ବ ସେପାଖୁ ହାତ ଟେକି ରହୁ
ତୁମ ଦର୍ଶନେ ପାପ ମୋଚନେ ଆଶା
ଅଛି ଥିଲା ଥିବ ସଦା ରହିଥାଉ
ଓଡିଶା ରାଇଜେ ଜଗନ୍ନାଥ ଧାମ ମହିମା ରହୁ
ଜଗନ୍ନାଥ ଦେଶ ବୁଲିଯିବା ଆସ ଭକ୍ତ କହୁଥାଉ
ପୁରୀ ସରକାର ବଡଦେଉଳରେ ବେଢା ଭିତରେ
ଜଗା ଟିକେ ସଦା ମିଳୁଥାଉ
କୌତୁହଳେ ଭକ୍ତ ଦେଖୁଥାଉ
ପତିତ ପାବନ ବନା ନୀଳଚକ୍ର ସାଥେ ରହି ଉଡ଼ୁଥାଉ
ଆଚମ୍ବିତ କଥା ଗାଥା ଶୁଣି ତୁମ ଜୀବ ଯାଉ
ଶଙ୍ଖକ୍ଷେତ୍ରର ଶ୍ରୀପତି ଜଗନ୍ନାଥ ତୁମ୍ଭ ଯଶ ରହୁ
