ଶ୍ରାବଣ ଉଲ୍ଲାସ
ଶ୍ରାବଣ ଉଲ୍ଲାସ
ଶ୍ରାବଣେ ମୌସୁମୀ ନାମତା ଶ୍ରାବଣୀ
ଆସଇ ସେ ନୃତ୍ୟ ରତେ,
ଝରଝର ଧାରା ବରଷା ଅସରା
ଅବିରାମେ ଅବିରତେ;
ଝରେ ଣ୍ରାବଣ ଉଲ୍ଲାସେ;
ମେଘ ମେଦୁର ମଦନ ମନୋହର
ରୂପ ସତେ ପରକାଶେ ।।
ଦୁଇ ଶିଖରରେ ଇନ୍ଦ୍ରଧନୁ ତାରେ
ନିହି କରି ଦୁଇ କୋଟି,
ସାତ ରଙ୍ଗେ ତାର କରୁଛି ବିଭୋର
ଦିଶେ ସୁନ୍ଦର ପ୍ରକୃତି;
ମେଘ ମହ୍ଲାର ସୁରରେ;
ଆନମନା କରେ ପ୍ରେମିକ ଯୁଗଳେ
ପ୍ରୀତି ମୟ ସୁଧା ଧାରେ ।।
ସେ ରୂପେ ଅଧୀର ବନରେ ମୟୂର
ପୁଛ ଟେକି ନୃତ୍ୟ କରେ,
ବନାନୀ ସଜଳ ସବୁଜ ଉଜ୍ଜ୍ୱଳ
ନିଦାଘ ଜ୍ଵାଳା ପାସୋରେ;
ନାନା ଜାତି ସରୀସୃପ;
ଭୂମିରୁ ଭୂମିଷ୍ଠ ହୁଅନ୍ତି ଅନେକ
ନାଲି ସାଧବାଣୀ ପୋକ ।।
ଆକାଶେ ବରଷା କର୍ଦମାକ୍ତ ରସା
ପୂବେଇ ପବନ ବହେ,
ଡାହୁକର ହୁଟ କୁଳୁକୁଳୁ ଗୀତ
ପାହାଡି ଝରଣା ଗାଏ;
ମାଦକ ଭରା ପୁଲକେ;
ମାଦଳ ତାଳରେ ଜୁଆଙ୍ଗ କିଶୋରୀ
ଆନମନା ନୃତ୍ୟ ରସେ ।।
ସତେକି ଦିବସ ଅନ୍ଧାରେ ବିବଶ
ଶ୍ରାବଣୀ ମେଘ ଉହାଡେ,
ବିଜୁଳି ଚମକେ ଘଡଘଡି ଡାକେ
ରିମିଝିମି ନୃତ୍ୟ ରୋଳେ;
ବେଙ୍ଗ ରାଣୀ ବାହାଘର:
ସାରୁ ପତ୍ର ଛତ୍ର ତଳୁ ଅବିରତ
ରଚନ୍ତି ବିକଟ ସ୍ଵର ।।
ଶଶ୍ୟ ଶାଳିନୀରେ କୃଷକ କେଦାରେ
ନୀଳ ପାଟଶାଢ଼ୀ ସମ,
ସବୁଜ ବରଣା ଧରିତ୍ରୀ ଲଳନା
ଦିଶୁଅଛି ଅନୁପମ;
ଫୁଟିଛି କଦମ୍ବ ଫୁଲ;
ନଦ ନଦୀ ଜଳେ ପ୍ରଖର ସ୍ରୋତରେ
ଖାଉଅଛି ଦୁଇ କୂଳ ।।
ସଂଜରେ ଖଦ୍ୟୋତ ତାରକା ବେଷ୍ଟିତ
ଭ୍ରମ ମନେ ସୃଷ୍ଟି କରେ,
ଝିଙ୍କାରି ଶବଦ ଭାଙ୍ଗେ ନିଶବଦ
ଶ୍ରାବଣ ବର୍ଷା ରାତିରେ;
ପିଢାରେ ଲାଉ କଖାରୁ;
ଲତାରେ ସୁନ୍ଦର ମାଟି ଚାଳଘର
ବର୍ଷା ଟୁପୁରୁ ଟୁପୁରୁ ।।
ପବିତ୍ର ଶ୍ରାବଣ ମାସେ ତ୍ରିଲୋଚନ
କାଉଡିଆ ଜଳ “ଲାଗି-,
ହୋଇ” ମହାଦେବ ଶୁଭ ଆଶୀର୍ବାଦ
କରିଥାନ୍ତି ମହାଯୋଗୀ;
ଶିବ ମୟ ହୁଏ ଧରା;
ସଉଭାଗ୍ୟ ଶାନ୍ତି ହୋଇଥାଏ ପ୍ରାପ୍ତି
ବିମୁଗ୍ଧ ଜଗତ ସାରା ।।
ଶ୍ରାବଣେ ଚିତୋଉ ମହମହ ବାସେ
ଚିତା ଲାଗି ଅମାବାସ୍ୟା,
ରତ୍ନ ଚିତା ବଡ ଠାକୁର ମସ୍ତକେ
ପାଳଇ ସାରା ଓଡ଼ିଶା;
ହୁଅଇ ଝୁଲଣ ଜାତ;
ଝୁଲାରେ ଝୁଲନ୍ତି ଶ୍ରୀରାଧା ଗୋବିନ୍ଦ
ଝୁଲନ୍ତି ଜଗତ ନାଥ ।।
ଶ୍ରାବଣର ଶେଷ ପରବ ବିଶେଷ
ଗହ୍ମା ପୂର୍ଣ୍ଣମା ଉତ୍ସବ,
ଅତିବ ପବିତ୍ର ରଖିଥାଏ ସେତ
ଭାଇ ଭଉଣୀର ଭାବ;
ବଳଭଦ୍ର ଜନ୍ମ ତିଥି;
ଶ୍ରାବଣ ଉଲ୍ଲାସେ ମୋ ଓଡିଶା ହସେ
ହସି ଉଠଇ ପ୍ରକୃତି ।।