ଜୀବନ ଚାଲେ କ୍ରମଶଃ
ଜୀବନ ଚାଲେ କ୍ରମଶଃ
ଜୀବନ ରହସ୍ୟ କିଏ ବା ଜାଣିଛି
ଚିନ୍ତନେ ଲାଗେ ବିମର୍ଷ
ଆଦି ଅନ୍ତ ମୂଳ ଏଠି ମିଳେ ନାହିଁ
ଜୀବନ ଚାଲେ କ୍ରମଶଃ ।
ମାତୃ ଗର୍ଭେ ମୋତେ ସଞ୍ଚାର କରିଲ
ପିତାମାତେ ଦେଇ ହର୍ଷ
ତାଙ୍କରି ଆଶିଷେ ଗଢି ତୋଳିଅଛ
ଜୀବନ ଚାଲେ କ୍ରମଶଃ ।
ଶିଶୁର ଶୈଶବ କରିଥିଲି ଗତି
ଶାନ୍ତିରେ ନେଇ ନିଶ୍ୱାସ
ଜୀବନେ ଜଞ୍ଜାଳ କିଛି ଆସି ନାହିଁ
ଯାତ୍ରାଟା ଥିଲା କ୍ରମଶଃ ।
ପ୍ରେମର ଫଗୁଣ ଯୌବନେ ଆସିଛି
ସ୍ବପ୍ନ ଦେଖିଛି ଅଶେଷ
ନବ ଯୌବନ ସେ କାହିଁ ହଜିଗଲା
ଜୀବନ ଚାଲି କ୍ରମଶଃ ।
ପିତାମାତାଙ୍କର ସେବା କରୁଥିଲି
ଛଡାଇଲ ମୋର ପାର୍ଶ୍ୱ
ଖୋଜିଲେ ତାଙ୍କର ଠିକଣା ଦେଉନ
ଜୀବନ ଚାଲେ କ୍ରମଶଃ ।
ସ୍ୱାସ୍ଥ୍ୟ ପରିବାର ସମ୍ପର୍କ ଆମର
ମହତ୍ତ୍ୱ ରଖି କ୍ରମଶଃ
ପରିବର୍ତ୍ତନ ସେ ଅନେକ ଆଣିଛି
ଦେଖି ଶ୍ରାବଣ ଅଶେଷ ।
ଜୀବନେ ବାର୍ଦ୍ଧକ୍ୟ ଯେବେ ଆସିଗଲା
ଆସେ ମୋର ଅବଶୋଷ
ଜରାଜୀର୍ଣ୍ଣ ହୋଇ ଦୁଃଖ ଭୋଗୁଅଛି
ଜୀବନ ଚାଲେ କ୍ରମଶଃ ।
ସବୁ ଯାତ୍ରା ଆଜି ସଂସାରେ ଦେଖିଲି
ଦୁଃଖ ଯନ୍ତ୍ରଣା ପ୍ରବେଶ
ବଞ୍ଚିବାକୁ ରାହା ଏଠି ମିଳୁନାହିଁ
ଜୀବନ ଚାଲେ କ୍ରମଶଃ ।
ଜୀବନ ଯାତ୍ରାଟା ଅନ୍ତେ ଶେଷ ହେବ
ଅଦୃଶ୍ୟ ପଥେ ପ୍ରବେଶ
କେଉଁଠିକି ଯାଇ ପଞ୍ଚଭୂତେ ଲୀନ
ଯାତ୍ରାଟା ହେବ କ୍ରମଶଃ ।
ଜୀବନ ଯାତ୍ରା ସେ ଲାଗଇ ଅଜବ
କରି ଯାତ୍ରା ସେ କ୍ରମଶଃ
ସୁଖ ଦୁଃଖ ସବୁ ଜୀବନେ ଦେଖୁଛି
ଶେଷରେ ହେଉଛି ନାଶ ।
