ମାୟା ସଂସାର
ମାୟା ସଂସାର
ନୀଳ ମରୁଭୂମି ନିର୍ମେଘ ଆକାଶ
ଗଭୀର ସେ ଅନ୍ଧକାର
ପ୍ରବଞ୍ଚନା ପୂର୍ଣ୍ଣ କୁହେଳିକା ମୟ
ଭରା ଏ ମାୟା ସଂସାର ।
ଲୋଭ ଓ ମୋହରେ ବଶବର୍ତ୍ତୀ ଆଜି
ହୋଇଛି ମଣିଷ ମନ
ପବିତ୍ର ସଂପର୍କ ହୁଏ କଳୁଷିତ
ବଦଳିଯାଇଛି ଦିନ ।
ଲାଗଇ ଅସାର ମାୟାର ସଂସାର
କେହି ନୁହନ୍ତି କାହାର
ସ୍ବାର୍ଥ ଥିଲେ ପାଖେ ସମସ୍ତେ କୁହନ୍ତି
ତୁ' ମୋର ମୁଁ' ତୋର ।
ଜୀବନ ସଂଗ୍ରାମେ ଜୁଝିଜୁଝି ଏବେ
ଶେଷହୀନ ସୀମାନ୍ତରେ
ମୁଠାଏ ପବନ ଉଡାଇ ନେବସେ
ଧୂଳିରେ ମିଶିଲା ପରେ ।
କୁହୁକର ମାୟା ଆଖିରେ ଅଞ୍ଜନ
ଭେଳିକି ଲଗାଇ ଥାଏ
ମରିଚିକା ଭ୍ରମେ ସୁନା ହରିଣୀକୁ
ଧରିବାକୁ ଇଛାହୁଏ ।
ହାତ ବଢାଇଲେ ଚାଲିଯାଏ ଦୂରେ
ରଙ୍ଗବି ବଦଳି ଥାଏ
ସମୟ ର କ୍ରମେ ଛଦ୍ମ ଛଳନାରେ
ସତ୍ତା ତାର ହଜିଯାଏ ।
ଏକା ଆସିଥିଲ ଏକାଚାଲି ଯିବ
ଛଅ ଖଣ୍ଡ ବାଉଁଶରେ
ବନ୍ଧୁ ପରିଜନ ଆତ୍ମୀୟ ସ୍ଵଜନ
କେହି ନଯିବେ ସାଙ୍ଗରେ ।
ଧନ,ଜନ ଆଉ ବିଷୟ ବାସନା
ଭଙ୍ଗାଗଢାର ସଂସାରେ
ଦି'ଦିନ କୁଣିଆ ଆମେ ଏ ସୃଷ୍ଟିରେ
ଭ୍ରମୁ କେବଳ ମାୟାରେ ।
ଦିଗନ୍ତ ବିସ୍ତାରୀ ଏ ମାୟା ସଂସାର
ନିତ୍ୟ ସେ ନିଆରା ଭାରି
ବିଡମ୍ବନା ଏଇ ଦୁନିଆ କୁ ଥରେ
ଆସିଥିଲେ ଯିବ ଫେରି ।
