ସର୍ବନାଶ
ସର୍ବନାଶ
ଆଜିର ମଣିଷ ଛାଡି ଦୀର୍ଘଶ୍ୱାସ
ନିତିନିତି ପିଇ ବିଷ
ପ୍ରଗତି ନାଆଁରେ ଦୁର୍ଗତି ଆମନ୍ତ୍ରି
କରେ ନିଜ ସର୍ବନାଶ।।
ଶ୍ରେଷ୍ଠ ପ୍ରାଣୀ ବୋଲି ଆତ୍ମ ଗର୍ବେ ଫୁଲି
ଧରାକୁ ମଣଇ ସରା
ଧନ ବାହୁ ଆଉ କ୍ଷମତା ବଳରେ
ହୋଇଥାଏ ଆତ୍ମହରା।।
ସ୍ୱେଚ୍ଛାଚାରୀତାର ଅଳନ୍ଧୁ ଭିତରେ
ପ୍ରେମର ବିକୃତ ଗନ୍ଧ
ନିଜତ୍ୱ ହରାନ୍ତି ଯୁବପିଢି ଏବେ
ଭାବନ୍ତିନି ଭଲମନ୍ଦ।।
ଆତ୍ମୀୟତା ଭାବ ଉଭେଇ ଗଲାଣି
ବନ୍ଧୁ ପରିଜନ ଠାରୁ
ଉପହାସ କରେ ସମ୍ପର୍କର ଭାଷା
ବର୍ଦ୍ଧିତ ବୃଦ୍ଧାଶ୍ରମରୁ।।
ଅପସଂସ୍କୃତିର ଆପଣାପଣରେ
ମାୟାରେ ସଭିଏଁ ବାୟା
ଘୋର ତିମିରରେ ବିବେକ ହଜାଏ
ଅସତ୍ୟ ସହରେ କାୟା ।।
ସତ୍ ସଙ୍ଗ ବର୍ଜନ ଆଳସ୍ୟରେ ବଶ
ନିଜ ସ୍ୱାର୍ଥେ ହୋଇ ଅନ୍ଧ
ମଦିରା ନିଶାରେ ଉନ୍ମୁକ୍ତ ଜୀବନ
ନମାନଇ ବାଡବନ୍ଧ ।।
ମଉଳେ ଆୟୁଷ ସ୍ୱପ୍ନ ହୁଏ ଶେଷ
ସମୟଟା ଯାଏ ଚାଲି
ମିଳନଟା ଠାରୁ ବିଚ୍ଛେଦ କାହାଣୀ
ପାରିବ କି କେହି ଭୁଲି ....?
ଆଶା ଓ ନିରାଶା ରାଗ ଆଉ ରୁଷା
ଅଭିଯୋଗ ଅଭିମାନ
ବୃଥା ହୁଏ ସବୁ ପଞ୍ଚଭୂତ ଯେବେ
ମିଶି ଯାଏ ଏ ଜୀବନ।।
