ମା 'ଙ୍କ ଆଗମନେ
ମା 'ଙ୍କ ଆଗମନେ
ସୁନ୍ଦର ଧରାରେ ମାଙ୍କ ଆଗମନର ବାର୍ତ୍ତା ଯେମିତି ଭରିଦିଏ ଅମାପ ପୁଲକ
ସଭିଙ୍କ ମନର କାନଭାସରେ ଅଙ୍କିହୋଇଯାଏ କେତେ କଳ୍ପନା ଆଉ ଭାବନାର କାହାଣୀ
କିନ୍ତୁ ମା ଦୁର୍ଗତିନାଶିନୀଙ୍କ ଆଗମନ ମୋ ମନ ଗଭୀରରେ ଜାତ କରେ ଅନେକ କରୁଣ ରାଗିଣୀ
ତାଙ୍କୁ ଦର୍ଶନ କରିବାର ବ୍ୟାକୁଳତା ଯେତେ ନଥାଏ ଥାଏ ସେତେ ସଂଚିତ ଅଭିମାନ
ଯେତେବେଳେ କର୍ମସ୍ଥଳୀରୁ ସାଇକେଲରେ ଫେରେ କିଆରୀ ଭରା କାଶତଣ୍ଡୀକୁ ଦେଖି
ମନରେ ଉଙ୍କିମାରେ ନୀରବତାର ଚାଦର ତଳେ ଶୋଇରହିଥିବା ଅନେକ ଆକାଂକ୍ଷା
ସବୁବର୍ଷ ଭାବେ ଏଥର ମାଙ୍କ ଆଗମନ ହୁଏତ ନିଶ୍ଚୟ ପୋଛି ଦେବ ସମସ୍ତ ବେଦନା ଆଉ ଦୁଃଖକୁ
କିନ୍ତୁ ପୁଣି ସେଇ ହା ହାକାରର କର୍କଶ ମୂର୍ଚ୍ଛନା
ଛାତି ତଳେ ସେଇ ଦୁର୍ବିସହ ବେଦନାର ଚିତ୍କାର
ସେଇ ବିରସ ବଦନର ପ୍ରତିଫଳନ
ଦେହସାରା ବେଦନାର କମ୍ପନ
ମନରେ ମରିଯାଇଥିବା ସମସ୍ତ ସ୍ପୃହା ଆଉ ଅଭିପ୍ସାର କ୍ରନ୍ଦନ
ଆଉ ଚାରି କାନ୍ଥ ଭିତରେ ଲୁଚିରହିବାର ଅଭିଳାଷ&n
bsp;
କାହିଁକି ମା? କାହିଁକି?
ସବୁବର୍ଷ ଲୁଚି ଲୁଚି ତୁମ ମଣ୍ଡପ ପାଖେ ମାନସିକ କରେ
ଆଉ ମନଭିତରେ ବାନ୍ଧିଦିଏ ଅସୁମାରୀ ସ୍ୱପ୍ନ
ପୁଣି ଚାହିଁ ରହେ ତୁମ ଆଗମନକୁ
ମନ ଭିତରେ ଅହୋରାତ୍ର ଚିତ୍କାର କରୁଥିବା ଆର୍ତ୍ତନାଦକୁ ନିରବତାର ଚାଦର ତଳେ ନିରବ କରେ
ଆଉ ଆଶ୍ୱାସନା ଦେଇ ପୁଣି ଅପେକ୍ଷା କରିବାକୁ ବାଧ୍ୟ କରାଏ
ମାତ୍ର, ସେଇ ନିରାଶା! ସେଇ ବିଷାଦର କ୍ରନ୍ଦନ !
ଲୋତକ ଢାଳି ଢାଳି ଆଜି ନିଃସହାୟ ମୁଁ
ଆଖି ମୋର ଥକି ଯାଇଛି ତୁମକୁ ଅପେକ୍ଷା କରି କରି
ଆଜି ପୁଣି ପ୍ରଶସ୍ତ କିଆରୀ ସବୁ ଭରିଗଲାଣି କାଶତଣ୍ଡୀ ଫୁଲରେ
ଚାରିଆଡେ ସାଜସଜା, ଚାରିଆଡେ ଆବେଗ ଆଉ ଉଲ୍ଲାସ
ସମସ୍ତଙ୍କ ଭିତରେ ଅପ୍ରମିତ ଉନ୍ମାଦନା
କିନ୍ତୁ ମୋ ମାନସରେ ସେଇ ମାନସିକ
ଆଜିବି ସେମିତି ଅପୂର୍ଣ୍ଣ
କିନ୍ତୁ ତୁମ ପାଖେ ଆଉ ନାହିଁ କିଛି ଅଭିଯୋଗ
କାରଣ ବାରମ୍ବାର କାମନା କରି ନିଷ୍ଫଳ ହେଲାପରେ ଆଉ କି ଅଭିମାନ ।