ବାହୁନା
ବାହୁନା
ଅଣ୍ଡାଳୁଛି
ତା ଶେଜ
ଥରିଲା ହାତରେ
ଛାତି ତଳେ ଜାବୁଡି ଧରିଛି
ତା ବାଇଆ ଧନର
ଚିରା ପ୍ୟାଣ୍ଟ ସାର୍ଟ
ଅତଡା ଖାଉଛି
ମମତାର ନଈ ବନ୍ଧ।
ଅଠା ଅଠା ପାଟିରୁ
ବାହୁନା ଶୁଭୁଛି
କଇଁ ସହ ବୁକୁ ଫଟେଇ
ବାହାରି ଆସୁଛି
ମୋ ବାଇଆ ରଜାରେ ।
ଅଶିତିତମ ବୟସ
ନାତି ,ସ୍ୱାମୀ ପରେ ପରେ
ଏଇ ଏଇ ଗଂଜୋଡ ପୁଅ ତାର
ଖଅଁ ଖଅଁ ବେମାରୀରୁ
ମୁକ୍ତି ପାଇଛି
ଶୁନ୍ୟ କରି କୋଳ
ଏବଂ
ମମତାର କୁଡ଼ିଆ।
ତା ବାହୁନାରେ
ଲୁହ ଯେତିକି
ଲହୁ ସେତିକି
ଦରାଣ୍ଡୁଛି ଧୂଳି।