STORYMIRROR

Manoj Swain

Tragedy

3  

Manoj Swain

Tragedy

ପାଷାଣର ଆବେଗ

ପାଷାଣର ଆବେଗ

1 min
933


ପାହାଡ଼ ସେ ପ୍ରସ୍ତର ପାଷାଣ

ଖାଲ ଢ଼ିପ ଭରା ସ୍ଥାବର ଶରୀର

ସତେ ଯେମିତି ବସି ରହି ଅପେକ୍ଷା କରୁଛି

ତାର ସେଇ ହଜିଲା ପ୍ରେମିକାକୁ

ଯିଏ କଥା ଦେଇଥିଲା ଆସିବ ଆର ଶ୍ରାବଣକୁ


ସମସ୍ତେ କୁହନ୍ତି ତା ହୃଦୟ ପାଷାଣର

ଭାବ ଆବେଗ କିଛି ବୁଝେନା

ହେଲେ ସେ ତ କେବେ କାହାକୁ ପ୍ରତାରଣା ଦେଇନି?

କେତେ ବୁଦା ବୁଦା ଗୁଳ୍ମ, କେତେ ପଶୁ ପକ୍ଷୀ

କେତେ ଜୀବଜନ୍ତୁ ଆଶ୍ରା ନେଇଛନ୍ତି ତାରି କୋଳରେ

ସେ ତ କେବେ କାହାକୁ ଉପେକ୍ଷା କରିନି?


ଆଉ ଆଜି ସେଇ ପାଷାଣ ହୃଦୟକୁ ଧରି

ଅନେଇ ବସିଛି ତା ପ୍ରିୟାର ଆସିବା ବାଟକୁ

କେତେ ବର୍ଷ ବିତି ଗଲାଣି

ଆଷାଢ଼ ଶ୍ରାବଣ ସବୁ ଆସି ଚାଲି ଗଲେଣି

ଆଖି ଲୁହ ସବୁ ଝରଣା ହୋଇ ବହି ଗଲେଣି

ପ୍ରିୟା ବାଟ ଚାହିଁ ଚାହିଁ ତା ଆଖି ପାଷାଣ ପାଲଟିଲାଣି

ହେଲେ ତାର ପ୍ରତୀକ୍ଷା ଏବେ ବି ସରିନି

ସେମିତି ମୁହଁ ଉଠେଇ ଆକାଶକୁ ଅନେଇ ରହିଛି

ଏଇ ଆକାଶ ତା ପ୍ରତୀକ୍ଷାର ମୁକ ସାକ୍ଷୀ


ସୁ ସୁ ହେଇ ଆସି ପିଟି ହେଉଛି ପବନ

ସେପଟେ ଘୋ ଘୋ ଗର୍ଜୁଛି ସମୁଦ୍ର

ମେଞ୍ଚା ମେଞ୍ଚା ଢେଉ ସବୁ ଆଣି କଚାଡ଼ି ଦେଉଛି

ହୃଦୟର ଆବେଗ ସାଙ୍ଗରେ କାଳର ଏ କରାଳ ପ୍ରହାର

ଓଃ କେତେ କଷ୍ଟ !

କେତେ ଦିନ ଆଉ ସହି ପାରିବ?

ଦିନେ ତାର ବେଳ ସରିଯିବ

ଖଣ୍ଡ ଖଣ୍ଡ ହେଇ ସମୁଦ୍ର ରେ ବୁଡିବ

ହଜିଯିବ ତାର ତୁଙ୍ଗ ଶିଖର,

ଭାଙ୍ଗିଯିବ ତାର ପାଷାଣ ଶରୀର


ସେଦିନ ଅଥଳ ପାଣି ତଳକୁ ଯାଉ ଯାଉ

ଥରେ ଆକାଶକୁ ଅନାଇ କହିବ

ହେ ମୋର ଚିରସଖା,

ବିଦାୟ ନେଉଛି ଏ ହତଭାଗା

ବେଳ ମୋର ସରିଗଲା

ହେଲେ ପ୍ରତୀକ୍ଷା ମୋ ସରିନି

ଆର ଜନ୍ମରେ ମୁଁ ମେଘ ହେଇ ଆସିବି

ସାଙ୍ଗରେ ସେଇ ଶ୍ରାବଣକୁ ନେଇ ଆସିବି

ଯେଉଁଥିରେ ମୋ ପ୍ରିୟା ଫେରି ଆସିବ

ପାଷାଣ ହୃଦୟରୁ ସିନା ପ୍ରେମ ଦେଇ ପାରିଲିନି

ମେଘ ରୂପୀ ପ୍ରେମ ହୋଇ ନିଶ୍ଚୟ ବରଷିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy