ପ୍ରତୀକ୍ଷା
ପ୍ରତୀକ୍ଷା
ବର୍ଷା ର ଟିପ ଟିପ ପାଣି ବୁନ୍ଦା ସବୁ
ଲୁହ ଟୋପା ହେଇ ବୋହି ଯାଉଛି ।
ଘଞ୍ଚ କଳା ବାଦଲ ସବୁ ଢାଙ୍କି ଦେଉଛନ୍ତି
ମନର ଅଧା ମଲା ସ୍ୱପ୍ନ ସବୁକୁ ।
କିଏ ଜାଣେ ସେ ବାଦଲ ହଟିଲେ
ସୂର୍ଯ୍ୟ ଆଉ ଦେଖା ଯିବ କି ନାହିଁ ।
ଯାହାର ଆଲୁଅରେ ଉଡିଯିବ ମନ ପକ୍ଷୀ
ଖୋଜି ବୁଲିବ ସେ ପରୀ ରାଇଜର ପରୀ କନିଆଁ କୁ ।
କହିଥିଲା ଯିଏ ସାଥି ହେବ ତାର ଯୁଗ ଯୁଗର
ତୋଳିଥିଲା କେତେ କେତେ ଇନ୍ଦ୍ରଧନୁ ରଙ୍ଗୀନ ସ୍ୱପ୍ନର ।
ଆଜି ଭାଙ୍ଗି ଯାଇଛି ସେ ସ୍ୱପ୍ନର ମିନାର
ଆଖି ଲୁହରେ ଲିଭି ଯାଇଛି ସେ ଇନ୍ଦ୍ରଧନୁ ।
ବର୍ଷାରେ ଲୁହ ମିଶି ସବୁ କେମିତି ଝାପସା ଦିଶୁଛି
ଆଖି ମଳି ମଳି ଦେଖିବାକୁ ଚେଷ୍ଟା କରୁଛି ।
କିଏ ଜଣେ ଦୂରକୁ ଦୂରକୁ ଚାଲି ଯାଉଛି
ଯାଉ ଯାଉ ହସି ହସି କହି ଯାଉଛି ।
ଅନେଇ ବସି ଥା'ରେ ମନ ପକ୍ଷୀ
ଫେରିବ ତୋର ସେ ଭ୍ରମ ରାଇଜର ପରୀ ।
ଭଙ୍ଗା ଇନ୍ଦ୍ରଧନୁକୁ ତୁ ପୁଣି ଯୋଡ଼ିବୁ
ମିଛ ମରିଚିକାରୁ ତୁ ପାଣି ପିଇବୁ ।
ସେଦିନ ବୁଝିବୁ ତୁ ତୋ ସ୍ୱପ୍ନର ମୂଲ
ସେଦିନ ପାଇବୁ ତୁ ତୋ ପ୍ରତୀକ୍ଷା ର ଫଳ ।
