STORYMIRROR

Binaya Bhusan Panigrahi

Tragedy

3  

Binaya Bhusan Panigrahi

Tragedy

ଶୋଇବାକୁ ଦିଅ ତାକୁ

ଶୋଇବାକୁ ଦିଅ ତାକୁ

1 min
276



ଦେଖତ,

କେହିଜଣେ ଶୋଇଛି କେମିତି ସେଠି

ପରମ ଶାନ୍ତିରେ,ଗଭୀର ନିଦ୍ରାରେ

ମା'କୋଳରେ ଅଝଟ ଶିଶୁଟେ

ଅଛାଡ଼ ହେଇ ଶୋଇଗଲା ପରି

ମା'କ୍ଷୀର ମହୁଲି ନିଶାରେ

ନାନାବାୟା ଗୀତ ଶୁଣୁଶୁଣୁ।

ରାତିଏ ଦି'ରାତିର ବାକି ନିଦ ନୁହେଁ,

ବର୍ଷବର୍ଷର ପୁଞ୍ଜିଭୁତ ନିଦ୍ରା ଇଏ

ଆଜି ତାକୁ ଜଡେଇ ଧରିଛି,

ବୁଝେଇ ଦେଇଛି କେମିତି ,

"ଯବାନ ହେଲେ ବି ତୁ

ମଣିଷଟେ ଠିକ ଆମ ପରି

ରକ୍ତ-ମାଂସ ରେ ଗଢା,

ତୋ'ପାଇଁ ବି ବିଶ୍ରାମ ଟିକେ ଲୋଡ଼ା।"

ତେଣୁ ସେ ଶୋଇଛି ଏବେ,

ଶୋଇଛିତ ଶୋଇବାକୁ ଦିଅ ତାକୁ

ଚବର୍ ଚବର୍ କରି

ଭଙ୍ଗନାହିଁ କଞ୍ଚା ନିଦ ତା'ର।


ଏମିତି ତ ଶୋଇବା ଦୂରର କଥା

ଚେଇଁବାକୁ ତର ବି ନଥାଏ ତା'ର,

ପାଦ ଥାଏ ଏପାରିରେ, ଆଖି ସେପାରିରେ

ମଝିରେ ବଣ ଓ ପାହାଡ଼ ଘେରା

ଅଭେଦ୍ୟ ଅନ୍ଧାରର ରୀତିମତ ରାଜ।

ସେଇ ଅନ୍ଧାରକୁ ଢାଲ କରି

ପଲପଲ କାପୁରୁଷ ଆଗେଇ ଆସନ୍ତି ନିତି

ହାତରେ ରାଇଫଲ-ମୋର୍ଟାର ଧରି

ପାକ-ଆକ୍କାର ନାପାକ ଆଦେଶରେ,

ନଚେତ,

ସ୍ୱୀକାର କରି କୃଷ୍ଣସର୍ପର ଆମନ୍ତ୍ରଣ

ପ୍ରକମ୍ପିତ କରିବାକୁ ଶାନ୍ତ ଉପତ୍ୟକା,

କରିବାକୁ ଭୀତତ୍ରସ୍ତ ମାଟିର ସ୍ୱର୍ଗକୁ

ହୀନ କିଛି ମହତାକାଂକ୍ଷା

ପୂର୍ଣ୍ଣ କରିବାକୁ।


କେମିତି ବି ଶୋଇଥାନ୍ତା ସିଏ

କାନ୍ଧରେ ଓଜନିଆ ରାଇଫଲ,

ପିଠିରେ ଦେଶରକ୍ଷା ବୋଝ ସହ

ଅତର୍କିତ ସମ୍ଭାବନା

କାଳେ କିଏ ଲୁଚିଛପି ଆସିଯିବ,

ନିକଟରୁ ବର୍ଷଣ କରିବ ଗୁଳି ଓ ଗ୍ରେନେଡ଼

ତା'ର ସେ ଚଉଡା ଛାତିକୁ

ଉପହାସ କରି ତା ବୀରତ୍ୱକୁ,

ଅପମାନ କରି ତା'ର ଦେଶ ମାତୃକାକୁ।


'ବନ୍ଦେ ମାତରଂ'ର ଦୀକ୍ଷା ନେଲାପରେ

ସେ ନିଜେ ନ'ଥିଲା ନିଜର ହେଇ କେବେ

ସମସ୍ତେ ଥିଲେ ତା ନିଜର

ସେ କିନ୍ତୁ ନିଜର ନଥିଲା କେବେବି କାହାର।

ସୀସା ନିରୋଧକ ସ୍ତ୍ରାଣ ମଧ୍ୟ

ହାରିଯାଏ କେବେ କେବେ

ମାତ୍ର, ସିଏ ହାରେନାହିଁ କେବେ,

ଜୀବନକୁ ଜିତିଛି ବୋଲି ସେ

ବିଶ୍ରାମ ନେଇଛି ଟିକେ ପରମ ତୃପ୍ତିରେ।

ଉଠାଅନା, ଉଠାଅନା ତାକୁ

ଶୋଇବାକୁ ଦିଅ ତାକୁ ଶାନ୍ତିରେ ଘଡ଼ିଏ

ହୁଏତ ସେ ଦେଖୁଥିବ ସ୍ୱପ୍ନ

ଜନ୍ମିବାକୁ ପୁଣିଥରେ ଏ ଦେଶ ମାଟିରେ

ଲମ୍ବିବାକୁ ଦିଅ ତା ସ୍ୱପ୍ନକୁ

ଯେମିତି ଦେଖୁଛି ସିଏ,ଠିକ ସେଇମିତି

ପୁରାଅନା ରାଜନୀତି ଜମାରୁ ସେଥିରେ।

====©====

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୂର,ପୀରହାଟ ବଜାର

ଭଦ୍ରକ-୭୫୬୧୩୧

୯୯୩୭୫୪୮୪୩୧ ଓ ୯୩୪୩୮୬୭୦୧୨୦

-----------------

ପ୍ଲଟ ନଂ-୩୪୨,ସେକ୍ଟର୍-୫

ନିଳାଦ୍ରୀ ବିହାର,ଭୂବନେଶ୍ୱର-୨୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy