STORYMIRROR

Binaya Bhusan Panigrahi

Others

4  

Binaya Bhusan Panigrahi

Others

ପାର୍ବଣର ଆଗମନେ

ପାର୍ବଣର ଆଗମନେ

1 min
368


ସ୍ଵଚ୍ଛ-ନିରିମଳ ଘନନୀଳ ନଭ,

ଶରତ ସରସ ଶୋଭାର ବିଭବ

ମନୁ ଅବସାଦ ହରେ।

ଧୋବ ଫରଫର ଭସା ବାଦଲର

କୁନିକୁନି ତରୀ ମନ୍ଦହସି ଭାସି 

ମନେ ଶିହରଣ ଭରେ।।   (୧)


ଗହିରମଥାର ଘଞ୍ଚ ଶସ୍ୟ କ୍ଷେତ

ଉଡେଇ ଅଧିରେ ସବୁଜ ଓଢଣା 

ମୁରୁକି ମୁରୁକି ହସେ। 

ନଈକୂଳେକୂଳେ କାଶତଣ୍ଡି ଫୁଲ

ନବ ଯଉବନା ନହୁଲି ବେଶରେ

ଆହା କି ସୁନ୍ଦର ଦିଶେ !!  (୨)


ଗାଁଆ ଗାଁଆ ସାହି ସହର-ନଗରେ

ଖେଳିଯାଏ ହସଖୁସିର ଲହର

ପାର୍ବଣ ପାର୍ବଣ ବାସେ।

ଅଗ୍ରପୂଜ୍ୟଙ୍କର ପୂଜା ପରେପରେ

ବିଶ୍ୱକର୍ମା ପୂଜା ସରିବା ଉତ୍ତାରୁ

ଦଶରା ଆସର ବସେ।।  (୩)


ଚାତୁର୍ମାସ୍ୟ ପୀଡା ଭୁଲି ଚଷାପୁଅ

ଅଧାସିଝା ପିଠି ଝାଳ ପୋଛିପାଛି

ଅଣ୍ଟାକୁ ସଳଖ କରେ।

ବେଶଭୂଷା ହେଇ ବନ୍ଧୁବାସ ବୁଲି

ଦଶହରା ଖୁସି ମନାଇବା ପାଇଁ

ଡକାଡକି କରି ଫେରେ ।। (୪)


ଗାଁଆ କୁଆଁରିଏ ଦି'ପକ୍ଷ ଆଗରୁ

ଅଙ୍ଗେଅଙ୍ଗେ ଲେପି ଅଗରୁ ହଳଦି

ରୂପ କରୁଥାନ୍ତି ତୋରା।

ଝିଅ କପାଳକୁ ଗାଁଆ ସାଙ୍ଗସାଥି 

ଅଳପ ଦିନକୁ ଅତି ଆପଣାର

କାଲି ପର ହେବେ ପରା।। (୫)


ନୀଳକଇଁ ହସେ,ମଲ୍ଲିଫୁଲ ବାସେ

ଦଶହରା ଆସେ ମେଲାଇ ପସରା

ବାଣ୍ଟିବାକୁ ହସଖୁସି।

ମା ସିଂହ ବାହିନୀ ଦୁର୍ଗତି ନାଶିନୀ

ସୁଖ ଶିଳାନ୍ୟାସ କରିବେ ମହୀରେ

ପାପ-ପୀଡା ଦୈନ୍ୟ ନାଶି।।(୬)

====©====


Rate this content
Log in