STORYMIRROR

Binaya Bhusan Panigrahi

Inspirational

3  

Binaya Bhusan Panigrahi

Inspirational

ଆକାଶକୁ ମୁଣ୍ଡେଇଲା ପରେ

ଆକାଶକୁ ମୁଣ୍ଡେଇଲା ପରେ

1 min
260

ବାପାଙ୍କ ଆଙ୍ଗୁଠି ଧରି ଚାଲୁଥିଲା ବେଳେ

ଦେଖେ,ତାଙ୍କ ମୁଣ୍ଡ ଆକାଶକୁ ଛୁଏଁ,

ଛାଇ ତାଙ୍କ ଲମ୍ବି ଯାଉଥାଏ

ମୋ ଦୃଷ୍ଟିର ସୀମିତ ପରିଧି ପାରେଇ

ଯୋଜନ ଯୋଜନ ଦୂରକୁ

ଯେଉଁଠି ମାଟି ଓ ଆକାଶ

ଆଖିରେ ଆଖିକୁ ମିଶାଇ

ବାଣ୍ଟନ୍ତି ସୁଖଦୁଃଖ,

ମିତ ବସନ୍ତି,ମୁହଁ ବି ଫୁଲାନ୍ତି।

ପ୍ରତିଦିନ ଭାବେ;

ମୁଁ ଯଦି କେବେ ମୁହୂର୍ତ୍ତକ ପାଇଁ

ବାପା ବନିଯା'ନ୍ତି

ଆକାଶକୁ ଅନାୟାସେ ମୁଣ୍ଡରେ ମୁଣ୍ଡେଇ

ମାଟି ପରେ ଠିଆହୋ'ନ୍ତି ମହିରୋହ ପରି

ମୁଣ୍ଡ ନଟେକି ସିଧା ସିଧା

ଚାହାଁନ୍ତି ଦୁରକୁ,

ଦୂରକୁ-ଦୁରକୁ,ଆହୁରି ଦୂରକୁ

ଆଉ, ଜାଣିଯା'ନ୍ତି

ପ୍ରକୃତରେ ବାପା ତାଙ୍କ ମୁଣ୍ଡର ଛାଇକୁ

ମୋ ଆଖପାଖରେ ନରଖି

ଏତେଦୂରେ କୋଉଠି ରଖନ୍ତି।

ଚାହୁଁ ଚାହୁଁ,ସମୟର ଚକ ଘୁରିଗଲା,

ବାପା ବନିଗଲାପରେ

ଯେବେବି ମୁଁ ତଳକୁ ଚାହିଁଲି

ଦେଖିଲି, ବରଗଛ ଓହଳ ପରିକା

ଆଣ୍ଠୁଯାକେ ପାଦ ମୋର

ମାଟିରେ ପଶିଛି,

ମୁଣ୍ଡପରେ ଆକାଶର ବୋଝ

ଭାରି ଭାରି ଲାଗୁଛି ବେଳକୁ ବେଳ,

ରାତି ନାହିଁ, ଦିନ ନାହିଁ,

ସଦାବେଳେ ସୂର୍ଯ୍ୟ ରହୁଛି

ଠିକ ତାଳୁପରେ

ସତେଅବା ସେଇଠି ଅଟକି ଯାଇଛି

ମୋ'ସହ ମୋ ଛାଇକୁ ବି

ମୋ ନିଜ ପା'ତଳ ଚାଖଣ୍ଡେ ଭୁଇଁରେ

ବଳି ପରି ପାତାଳକୁ ଚାପିଦେବା ପାଇଁ ,

ଅବଶୋଷ, ଏବେ ମୋ ପାଖଦେଇ

ଦୁରକୁ ଲମ୍ବିଯାଉଥିବା

ବାପାଙ୍କର ସେ ଛାଇ ଆଉ ନାହିଁ

ପଚାରି ବୁଝିବା ପାଇଁ,

ଏତେଭାରୀ ଆକାଶକୁ ମୁଣ୍ଡରେ ଲଦି

କେମିତି ସେ ସ୍ଥିତପ୍ରଜ୍ଞ ସାଧକ ସାଜନ୍ତି,

ମୁହୂର୍ତ୍ତେ ଅଟକି ନରହି

କେମିତି ସେ ଅବିରତ ଆଗକୁ ବଢନ୍ତି ।


Rate this content
Log in

Similar oriya poem from Inspirational