କବି ହେବା ସହଜ ନୁହେଁ
କବି ହେବା ସହଜ ନୁହେଁ
କବି ହେବା କଣ ଏତେ ସହଜ!
ପ୍ରତିକ୍ଷଣେ ପ୍ରେମ କରେ
ପ୍ରତାରିତ ହୁଏ
ମନ ହୃଦୟ ଭାଙ୍ଗେ
ହସେ,କାନ୍ଦେ
ଏବଂ ମରୁଥାଏ କବିଟିଏ
ଚରିତ୍ର ଜୀବନ ଜୀଇଁ।
କେବେ
ଦାଦନ ଶ୍ରମିକ ହୁଏ
ହାତ କଟେ ଇଟା ଫିଙ୍ଗାରେ
କେବେ ପିଡିତା ହୋଇ
ଆତ୍ମହତ୍ୟା କରେ
ଧର୍ଷଣ ପରେ
ନ୍ୟାୟ ପାଇଁ ଚପଲ ଛିଣ୍ଡାଏ
କେବେ ପୁଣି
କୁକୁର ଝାମ୍ପି ନେଉଥିବା
ନବ ଜନ୍ମିତ ଶିଶୁ କନ୍ୟାର
ଦୁଃଖକୁ ପିଏ
ମଲା ମାଆକୁ ଅବୋଧ ଛୁଆ ହୋଇ ଡାକେ
ଉଠ୍ ମାଆ ଖାଇବାକୁ ଦେ
କେବେ ପୁଣି
ଅର୍ଦ୍ଧ ଦଗ୍ଧ ପୋଡ଼ା ଘା ର ଯନ୍ତ୍ରଣାରେ
ପୋଡି ହେଉଥାଏ କବି।
ଅଭାବ ଆଁରେ
ହତାଶରେ ଭାଙ୍ଗି ପଡି
ବାପାଟିଏ
ବୟସ ଗଡି ଯାଉଥିବା
ଝିଅକୁ ଦେଇ ପାରେନି ବାହା
ଅଶୀ ବର୍ଷ ବୟସ୍କା ମାଆ
ବାଟ ଚାହିଁଥାଏ ବିଦେଶ ଫେରନ୍ତା
ପୁଅକୁ ଟିକେ ଦେଖିବ
ବାସି ମଢା ଶବ ଭିତରେ
କେବେ କେବେ କବି
ପୋଡ଼ା ହେବା ପାଇଁ ଖୋଜୁଥାଏ କାଠ।
ସତରେ କବି ହେବା
ଆଦୋୖ ସହଜ ନୁହେଁ
ପାଣି ଫୁଟିଥିବା ହାଣ୍ଡି
ଚାଉଳ ଆସିବା ବାଟକୁ ଅନେଇଁ ଅନେଇଁ
ଟକ ମକ ଫୁଟେ
ଲାଗୁଚାପ
ଚାଷୀ ଅଣ୍ଟାରେ ଦିଏ ନିର୍ଘାତ ପାହାର
ପ୍ଲେନ କ୍ରାସରେ ମରନ୍ତି
ଶହୀଦ
ସନ୍ତ୍ରାସ ବାଦ
ଆତଙ୍କ ବାଦ ଗୁଳି
ଛାତି ପତାଇ କେବେ ଖାଏ କବି।
ବାପା କାନ୍ଧେ ଯୁବା ପୁଅର ଶବ
ଚଉଠି ନ ଯାଉଣୁ
ବିଧବାପତ୍ନୀର ଲହୁରେ ଥାଏ କବି
ସତରେ କବି ହେବା ଆଦୋୖ
ସହଜ ନୁହେଁ
ଯିଏ ଗୋଟିଏ ଶରୀର ହୋଇ
କୋଟିଏ ଚରିତ୍ର ଜୀବନ ଜିଉଁଥାଏ।
