ଲୁହ
ଲୁହ
କେତେ କେତେ ସ୍ଵପ୍ନ ହେଲେ ସମାଗମ
ନୟନ କ୍ଷେତ୍ରରେ ଆସି
କିଏ ସଜାଡ଼ିଲା ଜୀବନ ବେଉଷା
କିଏ ଯୋଡ଼ି ଦେଲା ଫାଶି ।
ଭରଷା ଘରକୁ ମଜୁଭୂତ କରି
କିଏ ଦେଲା ପ୍ରତିଶ୍ରୁତି
କିଏ ପୁଣି ସୀସା ସମାନ ଆସିଣ
ଚୁରମାର କଲା ରାତି ।
ସମବେତ ହୋଇ କଲେ କୋଳାହଳ
ଆପଣା ବଡିମା ପଣେ
ସମସ୍ତେ ଲାଗନ୍ତି ନିଜର ପରିକା
ହେଲେ ମନ ଛୁଏଁ ଜଣେ ।
ନିର୍ଭୁଲ ଭୂଲର ବିଚାର ନକରି
ଲୁହ କାଟୁ ଥିଲା ବାଟ
କେବେ ହେଉ ଥାଏ ବିଶ୍ଵାସେ ସତେଜ
କେବେ ପୁଣି ମାରେ ଛାଟ ।
ନେତ୍ର କୋଣେ ଲୁହ ହ୍ରଦ ପାଲଟିଲା
ସତେ କି ଚିଲିକା ମୟ
ଶଂଖ ଚିଲ ଆସି ଚଂଚୁ ମାରୁ ଥିଲା
ମନ ମୀନ ପାଏ ଭୟ ।
ଲୁହ ଖେଳୁ ଥାଏ ଲୁଚୁକାଳି ଖେଳ
ପରିସ୍ଥିତି ଦେଖି ଦେଖି
ଓଠ ପାରାବାର ନେତ୍ରେ ନିଦ୍ରା ନାହିଁ
ସର୍ବଦା ରହିଛି ସାକ୍ଷୀ ।
ଲୁହ ତ ଝରଇ ଆନନ୍ଦରେ ପୁଣି
ଲୁହ ତ ଝରଇ ଦୁଃଖେ
ତାହାର ମର୍ମକୁ ଯିଏ ବୁଝି ଯିବ
ସିଏ ତ ରଖିବ ସୁଖେ ।
