ଲୁହ ଝରାଉଛି ସାଧବ ବୋହୂ
ଲୁହ ଝରାଉଛି ସାଧବ ବୋହୂ
ସିନ୍ଥୀରେ ସାଇତା ଧାରେ ସିନ୍ଦୁର,
ଲଜ୍ଜାକୁ ମଣଇ ଗହଣା ତା'ର।
ପତି କୋଳ ଯାହା ପାଇଁ ମନ୍ଦିର,
ସତୀବୋଲି ଗଣେ ତାକୁ ସଂସାର।।
ଦୁଇ କୁଳ ହିତେ ସାଜେ ଦୁହିତା,
ଶାଶୁଘରେ ଜଳେ ତାହାର ଚିତା।
ସ୍ବାମୀ ଦୁଃଖେ ଦୁଃଖି ସେ ପତିବ୍ରତା,
ପୂଜାଘରେ ପଢେ ପୁରାଣ, ଗୀତା।।
ବାପଘରେ ଥିଲା ଯିଏ ଚପଳା,
ଶାଶୁଘରେ ସାଜେ ସେ ଧୈର୍ଯ୍ୟଶିଳା।
ବିବାହ ବନ୍ଧନ ସଂସାର ଲୀଳା,
କର୍ତ୍ତବ୍ୟ ହୁଡିଲେ ବୁଡଇ ଭେଳା।।
ବିତେ ବର୍ଷ ମାସ ଦିନ ଯେ ଚାହୁଁ,
ଆଜିବି ଯୌତୁକ ଜୁଇରେ ବୋହୂ।
ପରକୀୟା ପ୍ରୀତି ସାଧୁଛି ଦାଉ,
ଲୁହ ଝରାଉଛି ସାଧବ ବୋହୂ।।
