ଲୁଚକାଳି ଖେଳ
ଲୁଚକାଳି ଖେଳ
ଭାଙ୍ଗିଗଲେ ବିଶ୍ୱାସର ବାଲିବନ୍ଧ
ଲୁଚିଗଲେ ସ୍ୱପ୍ନର ଦୀପାଳି
ଲିଭିଗଲେ ଆଖିର ଆଲୁଅ ସବୁ
ଝରିଗଲେ ପ୍ରୀତିର ଶେଫାଳୀ,
ଶରତର ଜହ୍ନରାତି ଫିକା ଦିଶେ
ହଜିଯାଏ ଜୀବନର ସ୍ୱର
ଅବେଳରେ ଆକାଶର ଆଖିକୋଣୁ
ବହିଯାଏ ଲୁହ ଧାର ଧାର I
କାପାଖେ କେ ଦୋଷକଲା କୁହ ମୋତେ
ଆଉଥରେ ପଚାରି ଦେଉଛି
କେଉଁଥି ପାଇଁକି କିଏ ଆଖିଲୁହେ
ଭିଜି ଭିଜି ଜୀବନ ଜୀଉଁଛି I
ଜହ୍ନ ଭାବେ ବାଦଲ ଉହାଡେ ରହି
ସମସ୍ତଙ୍କୁ ଲୁଚି ସେ ରହିଛି
ଜାଣି ସେ ପାରୁନି ବୋଧେ ଦୁନିଆଁଟା
ନିତି ନିତି ତାକୁହିଁ ଦେଖୁଛି I
ଜହ୍ନର ଆଖିରେ ଯେବେ ପୃଥୀବିର
ଆଖିମିଶି ଜୋଛନା ଝରୁଛି
ଅଶାନ୍ତ ହୁଏ ପୃଥୀବି, କେଉଁକଥା
ଜହ୍ନଭାବେ କିଏବା ଜାଣିଛି?
