କଣ୍ଢେଇ
କଣ୍ଢେଇ
ମିଛି ମିଛିକା କଣ୍ଢେଇ ଖେଳରୁ
ଆରମ୍ଭ ହୋଇଥିବା କଣ୍ଢେଇ ସ୍ବୟମ୍ବରର
ସେ ଟିକି କଣ୍ଢେଇ କେତେବେଳେ ସତରେ
ଏ ଶରୀର ର ଅଗଣା ଡେଇଁ
ହୃଦୟର ଏରୁଣ୍ଡିବନ୍ଧ ଅତିକ୍ରମ କରି
ମନ ଗହନ ବନର ଲତାଟିଏ ସାଜି
ସମ୍ପୂର୍ଣ୍ଣ ଆତ୍ମାକୁ ଜାବୁଡି ଧରିଛି
ନା କଣ୍ଢେଇକୁ ଜଣା ନା ତାକୁ ଜଣାଅଛି!
ତାପରେ ସେ ଜୋକର ବନି ଯାଇଛି
ନାକର ବେଲୁନ୍ ନାହିଁ ସତ
କିନ୍ତୁ ନାକର ପଘା ଲାଗିଯାଇଛି,
ଆଖିର କଜଳ ନଥିଲେ କଣ ହେବ
ଏ ଆଖିର ଅନ୍ଧ ପୁଟୁଳି ବନ୍ଧା ସରିଛି,
ଓଠରେ ନାଲି ଲିପଷ୍ଟିକ ଲାଗିନି
ହେଲେ ପୁରା ବଦନ ଲାଲ ହୋଇଛି,
ମୁହଁରେ ପାଉଡର ବାସୁ ନାହିଁ
ଚିନ୍ତା ଓ ଚେତନାର ବାସ ମହକୁଛି,
ମୁଣ୍ଡ ବାଳରେ ରଙ୍ଗ ମାଖି ନାହିଁ ସତ
କର୍ତ୍ତବ୍ଯ ତାଡ଼ନାରେ ବାଳ ସଫେଦ ହୋଇଛି,
ଦେହରେ ରଙ୍ଗ ବେରଙ୍ଗର ପୋଷାକ ନାହିଁ
ସର୍ବାଙ୍ଗ ଶରୀର ଅତରଙ୍ଗୀ ହୋଇଛି,
ସେ ଆଉ ତାର ହୋଇ ରହି ନାହିଁ
ଆଉ ସେ ସତ ସତିକା ହସ ହସୁନାହିଁ
ସେ ଏବେ କେବଳ ଦାସ କର୍ତ୍ତବ୍ୟର
ନିଜ ଲୁହ ନିଜେ ପିଇ
ଅନ୍ୟକୁ ହସାଉଥିବା ଜୋକର!