ତ୍ରିବାର ସତ୍ଯ
ତ୍ରିବାର ସତ୍ଯ
ଯୌବନର କାମାଗ୍ନିରୁ ସିଦ୍ଧି ପ୍ରାପ୍ତ
ରାଜା ଦଶରଥଙ୍କ ପ୍ରଦତ୍ତ ତିନୋଟି ବରଦାନ
ମାତା କୈକେୟୀଙ୍କ ଇଛାରେ
ଏକ ପୁତ୍ର ମୋହରେ ଆଉ ଏକ ପୁତ୍ରକୁ
ସବୁଥିରୁ ବଞ୍ଚିତ କରିଦେଇଥିଲା।
ମନ୍ଦ ବୁଦ୍ଧି ମନ୍ଦ ଚିନ୍ତାରେ
ଗୋଟିଏ ପଟେ ରାମଚନ୍ଦ୍ରଙ୍କୁ ବନବାସ,
ଅନ୍ଯପଟେ ଭରତ ରାଜା ହେବାର ଇଛା।
ବିଜୟର ରଣ ଦୁନ୍ଦୁଭି ସେଦିନ ବି ବାଜି ଉଠିଥିଲା
ଯେଉଁଦିନ ମାତା କୈକେୟୀ
ମନ୍ଥରାର କୁମନ୍ତ୍ରଣାରେ ବଶୀଭୂତ ହୋଇ
ପ୍ରଭୁ ଶ୍ରୀରାମଙ୍କୁ
ବନବାସର ରାସ୍ତା ଦେଲେ ଦେଖେଇ।
ବୋଧହୁଏ ପୃଥିବୀର ସର୍ବଶ୍ରେଷ୍ଠ ଖୁସି ଏବଂ ଉଲ୍ଲାସ
ସେଦିନ ମାତା କୈକେୟୀ ଅନୁଭବ କରିଥିବେ
ନିଜ ପୁତ୍ର ଭରତଙ୍କୁ ରାଜ ସିଂହାସନ
ଆରୋହଣ କରୁଥିବାର ସ୍ବପ୍ନ ଦେଖି
ଏବଂ
ସେହି ଈର୍ଷାନ୍ବିତ ବିଜୟର ଚିତ୍ରକୁ ନେଇ
କେତେ ରାତି ସେ ଉଜାଗର ଥିବେ
କେବଳ ସମୟ ହିଁ କହିପାରେ।
ଯୋଗାବତାର ପ୍ରଭୁ ଶ୍ରୀରାମ ଯୋଗଜନ୍ମା,
ପୂର୍ବ ନିର୍ଦ୍ଧାରିତ କର୍ମଫଳ
କେମିତି ବା ଏ ସବୁ କରିଥାନ୍ତେ ଅସ୍ବୀକାର !
ସେଦିନ ବି ସେ ବିଜୟର ଟୀକା ପିନ୍ଧିଥିଲେ;
ପିତା ଦଶରଥ ଓ ମାତା କୌଶଲ୍ୟାଙ୍କ
ଆଶୀର୍ବାଦ ଗ୍ରହଣ କରିଥିଲେ ।
ବନବାସ ଯାତ୍ରାର ସହଧର୍ମିଣୀ
ମାତା ସୀତା ବି
ତାଙ୍କର ସାନିଧ୍ଯ ଗ୍ରହଣ କରିଥିଲେ।
ଆଜ୍ଞାଧୀନ ଅନୁଜ ଲକ୍ଷ୍ମଣଙ୍କ ଭାତୃତ୍ବ ଭାବ
ଶ୍ରୀରାମଙ୍କୁ ବାଧ୍ଯ କରିଥିଲା
ଲକ୍ଷ୍ମଣଙ୍କୁ ସହଯାତ୍ରୀ କରିବା ପାଇଁ।
ଲକ୍ଷ୍ମଣଙ୍କ ଭାତୃତ୍ବର ପରାକାଷ୍ଠା
ମହୀମଣ୍ଡଳର ସର୍ବଶ୍ରେଷ୍ଠ ବିଜୟର ନିଦର୍ଶନ।