କିଏ ତୋହ ସରି ଅଛି
କିଏ ତୋହ ସରି ଅଛି
ମାଆ ଲୋ, ଜାଣିଲି ତୋ ସ୍ନେହ କେତେ,
ଦଉଡ଼ିରେ ବାନ୍ଧି ପିଟୁଛୁ ଏତେ ।
ଗାଳି ଦେଉଅଛୁ ସଦା;
ସେଥିପାଇଁ କଳା ପଡ଼ିଗଲିଣି ପା'
ଆଗରୁ ନ ଥିଲି କଦା ।
କ୍ଷୀର, ଦହି, ସର ପୂରିଛି ଘରେ,
ଲହୁଣୀ କାଢ଼ୁଛୁ ତହିଁରୁ ପରେ ।
ପେଟ ପୂରେନା ଯା' ଦେଉ;
ସାଙ୍ଗସାଥୀ କିଏ ଶରଧାରେ ଦେଲେ
ମୋତେ ଚୋର ବୋଲି କହୁ ।
ହାତରେ ମୋ ଶିକା ବାହୁଙ୍ଗି ଦେଇ,
ବଣକୁ ପଠାଉ ଗାଈ ଚରେଇ ।
ସାନଟେ ମୁଁ ଯାଏ ଡରି;
ସେଦିନ କେଡୁଟେ ବକ ଆସିଥିଲା
ଦେଇଥା'ନ୍ତା ନିଶ୍ଚେ ମାରି ।
ପଳେଇବି ଏଠୁ ମଥୁରାପୁର,
ସେଇଠାରେ କାଳେ ମୋ ମାମୁଁଘର ।
ରହିବି ଖୁସିରେ ସେଠି;
କହିଲେ ଏକଥା, ବାରବାର କିଆଁ
କାନ୍ଦୁ ହାତେ ମଥା ପିଟି ।
ଗେଲ କରୁ ମୋତେ କୋଳକୁ ନେଇ,
ଜାବୁଡ଼ିକି ଧରୁ ଚୁମା ତୁ ଦେଇ ।
"ଏମିତି କହନା ଧନ;
ତୁ ମୋର ଜୀବନ, ରଙ୍କ ରତନରେ
ପାଶେ ଥିବୁ ସବୁଦିନ ।"
ସୁନା ମାଆ କେବେ କହୁ ଏଭଳି,
କେବେ ପୁଣି ପିଟୁ, ଦେଉ ତୁ ଗାଳି ।
ବୁଝିପାରେନା ମୁଁ କିଛି;
ଠାକୁରଙ୍କ ଇଚ୍ଛା, ତୋ କୋଳେ ବଢ଼ିବି
କିଏ ତୋହ ସରି ଅଛି !!
