STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

କେବେ ଆସିବ ସେ ସୁଦିନ...

କେବେ ଆସିବ ସେ ସୁଦିନ...

1 min
8


ମହୋଦଧି ତୀରେ ଧାମ ନୀଳାଚଳେ

ଅନନ୍ଯ କୈବଲ୍ୟ ମୁକତି କ୍ଷେତ୍ର

ସୁଦୃଶ୍ୟ ଗୋଲକ ଚଉଦ ବ୍ରହ୍ମାଣ୍ଡେ

ଶ୍ରୀକ୍ଷେତ୍ର ବୈକୁଣ୍ଠ ଶ୍ରୀନୀଳଚକ୍ର ।

ଆଜି ଆଷାଢର ଶୁକ୍ଳ ଏକାଦଶୀ

ଦକ୍ଷିଣ ବିଜୟ ବାହୁଡା ସାରି

ରଥର ଉପରେ ଚତୁର୍ଦ୍ଧା ମୂରତି

ବିଜେ ସିଂହଦ୍ବାରେ ଲାଗେ ଗହଳି ।

ସେବା ନୀତିକାନ୍ତି ମଧ୍ଯାହ୍ନର ଧୂପ

ସମାପନ ପରେ ଶୁଭ ମୁହୂର୍ତ୍ତେ

ଶ୍ରୀପୟର ଭୂଜ ସ୍ବର୍ଣ୍ଣ ଆଭୂଷଣେ

ଶୋଭିତ ହୋଇବେ ପ୍ରଭୁ କିରୀଟେ । 

ଜଗତର ନାଥ ବଳୀୟାର ଭୂଜ

ରାଜ ରାଜେଶ୍ବର ରାଷ୍ଟ୍ର ଦେବତା

ଶ୍ରୀପୁରୁଷୋତ୍ତମ ପତିତପାବନ 

ପରଂବ୍ରହ୍ମ ବିଷ୍ଣୁ ସ୍ବୟଂ ବିଧାତା ।

ପ୍ରସ୍ତୁତ ଖୁଣ୍ଟିଆ ଭଣ୍ଡାର ମେକାପ

ତଳିଚ୍ଛୁ ଦଇତାପତି ସେବକେ

ଲାଗି ହେବ ଚିତା ସ୍ବର୍ଣ୍ଣ ଚନ୍ଦ୍ର ସୂର୍ଯ୍ଯ 

ତାବିଜ କମରପଟି ତିଳକେ ।

ପିନ୍ଧି ଓଡିଆଣୀ ସେବତୀ କଦମ୍ବ 

ବାହାଡା ଘାଗଡା ରତ୍ନ ମାଳରେ

ରୌପ୍ଯ ଶଙ୍ଖ ଧରି ଚମକିବେ ପ୍ରଭୁ

ବୈଭବେ ଦୁର୍ଲଭ ରୂପକାନ୍ତିରେ ।

ଶୁଣାଏ ସ୍ବର୍ଣିମ ଗୌରବର ଗାଥା

ଜୟବିଜୟ ଦ୍ବାର ପ୍ରସ୍ତର ଲେଖ

ଦିଗବିଜୟୀ ବୀର କପିଳେନ୍ଦ୍ରଦେବ 

କରିଥିଲେ ଜୟ ରାଜ୍ଯ ଅନେକ ।

ନୌବାଣିଜ୍ୟେ ଥିଲା ଉତ୍କଳ ସମୃଦ୍ଧ 

କୌଶଳରେ କଳା କୃଷି ଉତ୍କର୍ଷ 

ପ୍ରକୃତି ସମ୍ବଳେ ଥାଇ ଭରପୂର

ଯାଇଅଛି ହଜି ଉଲ୍ଲାସ ହର୍ଷ ।

ଐତିହ୍ଯ ସଂସ୍କୃତି ମିଳନେ ପବିତ୍ର 

ଲୋକାରଣ୍ୟେ ବଡଦାଣ୍ଡ ଉଛୁଳେ

ଫେରିଆସୁ ଜାତି ହଜିଲା ସୁଦିନ

ଆଶାତରୀ ଭାସୁ ସାଗର ନୀଳେ ।

ମଙ୍ଗଳ ପ୍ରଭାତେ ସ୍ବର୍ଣ୍ଣାଭ କିରଣେ

ଉଦ୍ଭାସୁ ରାଇଜ ଜନ ଜୀବନ

ବିକଶୁ ସୁମନ ଶାନ୍ତି ଶତଦଳ

କୃପାକର ନାଥ ଚକାନୟନ ।।

    


Rate this content
Log in

Similar oriya poem from Classics